Categories: ବାଣିଜ୍ୟ

ବରିଷ୍ଠ ଓକିଲ ସାଲ୍‌ଭେଙ୍କ ଗୁରୁତର ଅଭିଯୋଗ;ଦେଶରେ ସୃଷ୍ଟ ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ

ନୂଆଦିଲ୍ଲୀ,୧୮-୯: ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ ବୋଲି ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲ୍‌ଭେ ମତ ଦେଇଛନ୍ତି। ଏକ ନୁଜ୍‌ ଓ୍ବେବ୍‌ସାଇଟକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ୨୦୧୨ରେ ୨ଜି ସ୍ପେକ୍ଟ୍ରମ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରଠାରୁ ଦେଶରେ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା।
ସାଲ୍‌ଭେ ନିଜ ଯୁକ୍ତି ସପକ୍ଷରେ କହିଛନ୍ତି ଯେ,୨୦୧୨ରେ ସର୍ବୋଚ୍ଚ ଅଦାଲତ ଗୋଟିଏ କଲମ ଗାରରେ ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ଓ କୋଇଲା ବ୍ଲକ୍‌ ଆବଣ୍ଟନକୁ ବାତିଲ କରିଦେଲେ। ଫଳରେ ୧୨୨ ସ୍ପେକ୍ଟ୍ରମ ଲାଇସେନ୍ସ ଓ ୧୯୯୩ରୁ ୨୦୧୧ ପର୍ଯ୍ୟନ୍ତ ୨୧୮ କୋଇଲା ବ୍ଲକ୍‌ ଆବଣ୍ଟନ ରଦ୍ଦ ହୋଇଗଲା। ଏହା ବିଦେଶୀ ନିବେଶକଙ୍କ ଉପରେ ବଡ଼ ଧରଣର ପ୍ରଭାବ ପକାଇଲା। ୨ଜି ସ୍ପେକ୍ଟ୍ରମ ଲାଇସେନ୍ସ ପ୍ରଦାନରେ ଅନୀୟମିତତା ହୋଇଥିବା ସେ ମାନୁଛନ୍ତି। ତେବେ ବିଦେଶୀମାନେ ନିବେଶ କରିଥିବା ଲାଇସେନ୍ସକୁ ବେପରୁଆ ଭାବେ ବାତିଲ କରାଯିବା ଉଚିତ୍‌ ନ ଥିଲା। ଭାରତୀୟ ପାର୍ଟନରଙ୍କ ସହାୟତାରେ ବିଦେଶୀ ନିବେଶକ ପୁଞ୍ଜିନିବେଶ କରୁଛନ୍ତି। ଘରୋଇ ପାର୍ଟନର କିଭଳି ଲାଇସେନ୍ସ ପାଇଲେ ତାହା ବିଦେଶୀ ନିବେଶକ ଦେଖନ୍ତି ନାହିଁ। ସେମାନେ ବହୁ ଶତାଧିକ କୋଟି ଟଙ୍କା ନିବେଶ କରିଥିଲେ। ତେବେ ଗୋଟିଏ ଥରରେ ସେମାନଙ୍କ ନିବେଶ ଉପରେ ପ୍ରହାର ସେମାନଙ୍କ ପାଇଁ ବଡ଼ ଝଟ୍‌କା ଥିଲା। ସୁପ୍ରିମକୋର୍ଟ ସେମାନଙ୍କୁ ଗୋଟିଏ ଥରେ ଦେଶରୁ ବାହାର କରିଦେଲେ। ଏହି ସମୟଠାରୁ ଅର୍ଥନୀତି ଧିମା ହେବା ଆରମ୍ଭ ହୋଇଥିଲା। କୋଇଲା ସମ୍ପର୍କରେ ଉଦାହରଣ ଦେଇ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ସମସ୍ତ କୋଇଲା ଖଣି ଲାଇସେନ୍ସ ବାତିଲ କରିଦେବା ପରେ ପ୍ରକୃତ ନିବେଶକ ଏହି କ୍ଷେତ୍ରରୁ ହଟିଗଲେ। କୋଇଲା ଲାଇସେନ୍ସ ବାତିଲ ପୂର୍ବରୁ ପ୍ରତ୍ୟେକ ମାମଲାର ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ହେବା ଉଚିତ୍‌ ଥିଲା। ଲାଇସେନ୍ସ ବାତିଲ ଯୋଗୁ ଦେଶରେ ପ୍ରଚୁର କୋଇଲା ମହଜୁଦ୍‌ ଥିବା ସତ୍ତ୍ୱେ ଆମେ ଏବେ ବିଦେଶରୁ ଏହାକୁ ଆମଦାନୀ କରୁଛୁ। କୋଇଲା ଖଣି ବନ୍ଦ ରହିବା ଯୋଗୁ ଲକ୍ଷ ଲକ୍ଷ ଲୋକେ ବେକାର ହୋଇଗଲେ। ଏଥିଯୋଗୁ ଅର୍ଥନୀତି ଉପରେ ଚାପ ବଢ଼ିବା ଆରମ୍ଭ ହୋଇଥିଲା। କୋଇଲା ବ୍ଲକ୍‌ ବାତିଲ ଯୋଗୁ ଅର୍ଥନୀତିକୁ ୧% କ୍ଷତି ହୋଇଛି ଏବଂ ଏଥିଯୋଗୁ ଜିଡିପି କମିଛି ବୋଲି ସେ କହିଛନ୍ତି।

Share