ବରାହ, ନୃସିଂହ ବେଶରେ ଶ୍ରୀଜୀଉ

ନୀଳଗିରି, ୯।୭(ଡି.ଏନ.ଏ.)-ନୀଳଗିରିସ୍ଥିତ ମାଉସୀମା’ ମନ୍ଦିରରେ ବିଜେ ଶ୍ରୀଜୀଉ ମଙ୍ଗଳବାର ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଗହଳରେ ରଥରେ ବିଜେ ଶ୍ରୀଜୀଉ ବଡ଼ଦାଣ୍ଡରେ ଆସି ଶନିବାର ମାଉସୀମା’ ମନ୍ଦିରରେ ବିଜେ କରିଥିଲେ। ଦୁଇଦିନ ଧରି ଶ୍ରୀଜୀଉ ଭକ୍ତଙ୍କୁ ୪ଟି ଅବତାରରେ ଦର୍ଶନ ଦେଇଛନ୍ତି। ଅପରାହ୍ନରେ ସହକାରୀ ପୂଜକ ହରିବନ୍ଧୁ କରଙ୍କ ସମେତ ସେବାୟତମାନେ ଆଡ଼ପମଣ୍ଡପରେ ବିଜେ ଶ୍ରୀଜୀଉଙ୍କୁ ବରାହ ଓ ନୃସିଂହ ବେଶରେ ସୁସଜ୍ଜିତ କରାଇଥିଲେ। ସନ୍ଧ୍ୟାରେ ଶ୍ରୀଜୀଉଙ୍କ ନିକଟରେ ଧୂପ, ଝୁଣା, ଆଳତି ଆଦି କରାଯାଇ ମନ୍ଦିର ପହଡ଼ ଖୋଲିଥିଲା। ହରିବୋଲ, ଜୟଧ୍ୱନି, ଭଜନକୀର୍ତ୍ତନ ଓ ଶଙ୍ଖନାଦରେ ମନ୍ଦିର ବେଢ଼ାରେ ଏକ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି କରିଥିଲା। ଶ୍ରୀଜୀଉଙ୍କ ଅବତାର ବେଶ ଦର୍ଶନ ଲାଗି ଭକ୍ତଙ୍କ ଗହଳି ଲାଗିରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।