ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। କଳାହାଣ୍ଡିରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସିଥିବା ‘ଚକାଡ଼ୋଳା’ ବସ୍‌ରେ ବୁଧବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡରୁ ବସ୍‌ର ଡ୍ରାଇଭର ଓ ହେଲ୍‌ପର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ସୂଚନାନୁଯାୟୀ, ପ୍ରତିଦିନ ଭଳି ବସ୍‌ଟି ଭୁବନେଶ୍ୱରରେ ପହଞ୍ଚିବା ପରେ ପାର୍କିଂରେ ରହିଥିଲା। ଗାଡ଼ି ଭିତରେ ଡ୍ରାଇଭର ଓ ହେଲ୍‌ପର ବିଶ୍ରାମ କରୁଥିଲେ। ହେଲେ ଅପରାହ୍ନରେ କୌଣସି କାରଣରୁ ହଠାତ୍‌ ବସ୍‌ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏହା ଜାଣିପାରି ଡ୍ରାଇଭର ଓ ହେଲ୍‌ପର ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଇ ଆସିଥିଲେ। ପରେ ବସ୍‌ର ସିଟ୍‌ରେ ନିଆଁ ଲାଗିବା ପରେ ଏହା ଅନ୍ୟ ଭାଗକୁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।