ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ସୋମବାର ଅପରାହ୍ନରେ ବସ୍‌ ମାଲିକଙ୍କୁ ନେଇ କମିଶନରେଟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନୂଆ ମୋଟର ଯାନ ଆଇନ ଓ ବସ୍‌ ପାଇଁ ରହିଥିବା ନିୟମ ସମ୍ପର୍କରେ ବସ୍‌ ମାଲିକମାନଙ୍କୁ ଅବଗତ କରାଯାଇଥିଲା। କୌଣସି ବସ୍‌ ଅନ୍ୟ ବସ୍‌କୁ ଓଭରଟେକ୍‌ କରି ଆଗକୁ ଯିବେ ନାହିଁ। ନିଜ ନିଜ ଲେନ୍‌ରେ ଯିବାଆସିବା ପାଇଁ ଡ୍ରାଇଭରମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି। ଏଥିପାଇଁ ୫ଦିନ ମହଲତ ଦିଆଯାଇଛି। ଡ୍ରାଇଭରମାନେ ନିୟମ ନ ମାନିଲେ ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବସ୍‌ଗୁଡ଼ିକୁ ମନଇଚ୍ଛା ରାସ୍ତା ଉପରେ ରଖି ହର୍ନ ବଜାଇବା ସହ ଲୋକ ଉଠାଇବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଣିକି ଏପରି କଲେ ୧ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ମାଲିକଙ୍କୁ ଜଣାଇ ଦିଆଯାଇଛି। ଡ୍ରାଇଭରମାନେ ବସ୍‌କୁ କେଉଁଠି ପାର୍କିଂ କରିବେ ଓ କରିବେ ନାହିଁ ସେନେଇ ପ୍ରତି ବସ୍‌ ଏବଂ ରାସ୍ତାରେ ସୂଚନାଫଳକ ଲଗାଯିବ। ମଙ୍ଗଳବାର ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ୍‌ ଏସିପି କେ.କେ ପାଣିଗ୍ରାହୀ କ୍ଷେତ୍ର ଅନୁଧ୍ୟାନ କରି ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ୫ ବସ୍‌ ଷ୍ଟପ୍‌ ଚିହ୍ନଟ କରିବେ। ବସ୍‌ଗୁଡିକ ବାଣୀବିହାର ତଳକୁ ନ ଆସି ଓଭରବ୍ରିଜ୍‌ ଦେଇ ବରମୁଣ୍ଡା ଯିବା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବାଣୀବିହାର ଓଭରବ୍ରିଜ୍‌ ତଳୁ ଅଧିକାଂଶ ଯାତ୍ରୀ ଉଠୁଥିବାରୁ ବସ୍‌ ମାଲିକ ସଂଘ ରାଜି ହୋଇ ନ ଥିଲେ। ତେଣୁ ଦ୍ୱିତୀୟ ବୈଠକରେ ଏନେଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଲିଙ୍ଗରାଜ ବସ୍‌ ମାଲିକ ଆସୋସିଏଶନ, ରାଜଧାନୀ ବସ୍‌ ମାଲିକ ଆସୋସିଏଶନ ଓ ଭୁବନେଶ୍ୱର ବସ୍‌ ମାଲିକ ଆସୋସିଏଶନ ସଭାପତିମାନେ ସାମିଲ ଥିଲେ। ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା, ଟ୍ରାଫିକ୍‌ ଏସିପି କେ.କେ. ପାଣିଗ୍ରାହୀ, ଟ୍ରାଫିକ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ଭଳ ପ୍ରମୁଖ ଉପସ୍ଥିତ ଥିଲେ।