ବରପାଲି ଶୀତଳଷଷ୍ଠୀ ଯାତ୍ରା: କପିଳେଶ୍ୱରଙ୍କ ବରାନୁଗମନ

ବରପାଲି, ୬।୬ (ଡି.ଏନ.ଏ): ବରପାଲି ଶୀତଳଷଷ୍ଠୀ ଯାତ୍ରାର ଚତୁର୍ଥ ଦିବସରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ଶୁଭବିବାହ ପାଇଁ ଗୁରୁବାର ସକାଳେ ଗଣ୍ଠିଆଳ ଫିଟା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ଭଣ୍ଡାରଗୃହରୁ ବାହାରି କପିଳେଶ୍ୱର ନଗରରେ ପହଞ୍ଚିଥିଲା। ସେଠାରେ ବିଗତ ବର୍ଷର କନ୍ୟାପିତା ରାଜେନ୍ଦ୍ର ପୃଷ୍ଟିଙ୍କ ଦ୍ୱାରା ବୈଦିକ ରୀତିରେ ଗଣ୍ଠିଆଳ ଉନ୍ମୋଚିତ ହୋଇଥିଲା । ପରେ ହିମାଦ୍ରିନଗର ଓ ଯାତ୍ରା ମଣ୍ଡପରେ ଜନସାଧାରଣଙ୍କ ସକାଶେ ମାଙ୍ଗଳିକ କୃତ୍ୟ ତେଲ, ହଳଦୀ ବିତରଣ ପୂର୍ବକ ଅଳଙ୍କାର ଧାରଣ କରାଯାଇଥିଲା। ରାତିରେ ବାଣ, ରୋଶଣୀ, ଘଣ୍ଟବାଦ୍ୟ, ଦୁଲଦୁଲି ଏବଂ ଆତସବାଜି କରି ବିରାଟ ପଟୁଆରରେ କପିଳେଶ୍ୱରଙ୍କ ବରାନୁଗମନ ଶୋଭାଯାତ୍ରା ବାହାରିଥିଲା। ଏହି ଅବସରରେ ରାତିରେ ପ୍ରମୁଖ ଛକ ସ୍ଥାନମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଶୁକ୍ରବାର ଯାତ୍ରାର ମୁଖ୍ୟ ଆକର୍ଷଣ ବୈଠକୀ ସହ ଶିବ ପାର୍ବତୀଙ୍କ ବିବାହ ଓ ହସ୍ତବନ୍ଧନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।