ବରଗଡ଼ ସହର ବନ୍ଦ: ସରକାରୀ, ବେସରକାରୀ ଅଫିସ ଅଚଳ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ମଙ୍ଗଳବାର ବନ୍ଦ ପାଳନ କରାଯାଇଛି। ଏଥିପାଇଁ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ, ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ସକାଳୁ ଖୋଲିଥିବା ପରିବା ବଜାରକୁ ପାଳନକାରୀ ପିକେଟିଂ କରି ବନ୍ଦ କରିଛନ୍ତି। ଅନୁରୂପ ଭାବେ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ହେଁ ବନ୍ଦ ପାଳନକାରୀଙ୍କଠାରୁ ଅନୁରୋଧ ପରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ କୋର୍ଟ ସମ୍ମୁଖରୁ ଫେରି ଯାଇଥିଲେ। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ନିମନ୍ତେ ସହରର ପ୍ରତି ଛକରେ ପୋଲିସ ମୁତୟନ ରହି ପଇଁତରା ମାରୁଛି।
ପ୍ରକାଶ ଯେ, ସୋମବାର ଜନ ଆନ୍ଦୋଳନ ପରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି। ହେଲେ ଏହି ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା କରିବାକୁ ଦାବି କରି ବରଗଡ଼ ଏକତା ଆହ୍ବାନରେ ବନ୍ଦ ପାଳନ କରାଯାଉଛି।