ବରଗଡ଼ ବନ୍ଦ : ବହୁ ସମୟ ପରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼ ସହରରେ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଯାନବାହନ ଚଳାଚଳ ଠପ୍‌ ହୋଇଛି। ଏପରିକି ଟୁକୁର୍ଲା (ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଉଥିବା ସ୍ବତନ୍ତ୍ର ବସ ସେବା ମଧ୍ୟ ଉପଲବ୍ଧ ହୋଇପାରି ନାହିଁ। ଫଳରେ ସେଠାକୁ ଅନେକ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଯାଇ ନ ପାରି ସରକାରୀ ବସଷ୍ଟାଣ୍ଡରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଫେରି ଆସିଥିଲେ। ବହୁ ସମୟ ପରେ ଏକ ଆମ୍ବୁଲାନ୍ସ ଯୋଗେ ସେମାନେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ ।

ପ୍ରକାଶ ଯେ, ଉକ୍ତ ସ୍ବାସ୍ଥ୍ୟକର୍ମୀମାନେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଗଲେ ସେଠାରେ ରହିଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ରିଲିଭ ହୋଇ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସିବାର କାର୍ଯ୍ୟକ୍ରମ ରହିଥିଲା।