ବରଗଡ଼ ଧନୁଯାତ୍ରା: କଂସ ଚୟନକୁ ନେଇ ଉଠିଲା ବିରୋଧର ସ୍ବର, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗ ଅଫିସ,୫।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର କଂସଙ୍କ ସମେତ ମହାମନ୍ତ୍ରୀ, ସେନାପତି ଭୂମିକା ପାଇଁ କଳାକାର ଚୟନ ହେବ ବୋଲି ସୋମବାର ଧନୁଯାତ୍ରା କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଛି। ତେବେ ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ପରମ୍ପରା ଅନୁଯାୟୀ ତିନିବର୍ଷ ନ ପୂରୁଣୁ ଏଥର ପୁଣି କଂସ ଚୟନକୁ ଧନୁଯାତ୍ରାପ୍ରେମୀ, କଳାକାରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପଶ୍ଚିମ ଓ ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ, ଚୟନ ପରେ କଂସ ଅଭିନେତା ଅତିକମରେ ତିନିବର୍ଷ ଧନୁଯାତ୍ରାରେ ଅଭିନୟ କରି ପାରିବେ ବୋଲି ପରମ୍ପରା ରହିଛି। ଏପରିକି ବିଗତ ଦିନରେ ହୋଇଥିବା ଚୟନ ପ୍ରକ୍ରିୟାରେ ଭୁବନେଶ୍ବରଙ୍କୁ ସେଭଳି ମୌଖିକ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଫଳରେ ଏଥର ଭୁବନେଶ୍ବର ପ୍ରଧାନଙ୍କୁ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ଦିଆଯିବା ସହିତ ଧନୁଯାତ୍ରା ମହୋତ୍ସବର ପରମ୍ପରାକୁ ରକ୍ଷା କରିବାକୁ ପଶ୍ଚିମ ଓ ଧନୁଯାତ୍ରା କଳାକାର ସଂଘ ଜିଲାପାଳଙ୍କୁ ନିବେଦନ କରିଛି। ସଂଘର ସଭାପତି ଦୟାନିଧି ପ୍ରଧାନଙ୍କ ନେତୃତ୍ୱରେ ସଭ୍ୟ ତଥା ଦୁଇ କଂସ ଅଭିନେତା ଜଗଦାନନ୍ଦ ମିଶ୍ର, ସୁଶିଲ ମେହେର ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ଗ୍ରହଣ କରି ଜିଲାପାଳ ତାକୁ ବିଚାରକୁ ନିଆଯିବ ବୋଲି କହିଥିଲେ।