ବରଗଡ଼ ଧନୁଯାତ୍ରା କଂସ ଚୟନକୁ ବିରୋଧ : ଏକଜୁଟ୍‌ ହେଲେ କଳାକାର ସଂଘ

ବରଗଡ଼ ଅଫିସ,୧୧।୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଏହା ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର କଂସଙ୍କ ସମେତ ମହାମନ୍ତ୍ରୀ, ସେନାପତି ଭୂମିକା ପାଇଁ କଳାକାର ଚୟନ ହେବ ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଛି। ତେବେ ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ପରମ୍ପରା ଅନୁଯାୟ ୩ ବର୍ଷ ନ ପୂରୁଣୁ ଏଥର ପୁଣି କଂସ ଚୟନକୁ ଧନୁଯାତ୍ରାପ୍ରେମୀ, କଳାକାରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରି ପାରୁ୍‌ନାହାନ୍ତି। ଏହି ପରିପ୍ରେକ୍ଷୀରେ କଂସ ଚୟନକୁ ବିରୋଧ କରି ଧନୁଯାତ୍ରା କଳାକାର ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନୁରୂପ ଭାବେ କଂସ ଚୟନ ବିରୋଧରେ କବି, କଳାକାର ଏକଜୁଟ୍‌ ହୋଇଛନ୍ତି । ଏହି କ୍ରମରେ ସୋମବାର ବରଗଡ଼ ଜିଲା ମିଳିତ କଳାକାର ମଞ୍ଚ ନେତୃତ୍ୱରେ ପଦ୍ମଶ୍ରୀ ହଲଧର ନାଗ, ବ୍ୟଙ୍ଗକବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ବରଗଡ଼ ଜିଲା ମିଳିତ କଳାକାର ମଞ୍ଚର ସମ୍ପାଦକ ଚୈତନ୍ୟ ପାଇକ, କୋଶଲ ଫାଉଣ୍ଡେସନର ମୁଖ୍ୟ ଇଂ ଦେବବ୍ରତ ମିଶ୍ରଙ୍କ ସମେତ ବହୁ କବି, କଳାକାର ସ୍ଥାନୀୟ ଗାନ୍ଧୀଛକରେ ଏକତ୍ରିତ ହୋଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଗତ ୨୦୧୭ କଂସ ଚୟନ ସମୟରେ ଦିଆଯାଇଥିବା ମୌଖିକ ପ୍ରତିଶ୍ରୁତି ଅନୁଯାୟୀ ଆସନ୍ତା ଧନୁଯାତ୍ରା ମହୋତ୍ସବରେ ଭୁବନେଶ୍ବର ପ୍ରଧାନଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରାଯାଇଛି । ସେ ନେଇ ପୁନର୍ବିଚାର କରାଯିବ ବୋଲି ଅତିରିକ୍ତ ଜିଲାପାଳ ଟପ୍ପୋ କହିଛନ୍ତି।