ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳର ହୋଇଥିବା ବେଳେ ତାମିଲନାଡୁ ଫେରନ୍ତା ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଆକ୍ରାନ୍ତ ବାନ୍ଦୁପାଲି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ପଜିଟିଭ୍‌ ଚିହ୍ନଟ ହେବାପରେ ଚିକିତ୍ସା ପାଇଁ ସେମାନଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ମିଶାଇ ଜିଲାରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ପୂର୍ବରୁ ବରଗଡ଼ ପୌର ପରିଷଦରେ ୧, ବରପାଲି ବ୍ଳକରେ୧, ଭେଡେନ ବ୍ଲକର ୪, ଭଟଲି ବ୍ଲକର ୨ ଏବଂ ବିଜେପୁର ବ୍ଲକର ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ବୁଧବାର ପୁଣି ୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାର ସମୁଦାୟ ୧୮ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବିଜେପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି । ପ୍ରକାଶ ଥାଉକି, ବାନ୍ଦୁପାଲି ଗ୍ରାମରେ ପୂର୍ବରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।