ବରଗଡରେ ଜିଲାସ୍ତରୀୟ କୃଷକ ଦିବସ

ବରଗଡ ଅଫିସ,୨୩।୪: ବରଗଡ ବ୍ଲକ୍‌ ଅନ୍ତର୍ଗତ ଗାଈସୀମା ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦର କାର୍ଯ୍ୟ ର୍ନିବାହୀ ଆଦିତ୍ୟ ଗୋୟଲ ଅତିଥି ଭାବରେ ଯୋଗ ଦେଇ ମହାଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା ସହିତ ଅଖି ମୁଠି ଅନୁକୂଳ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଭୋଇ ଏହି ଅବସରରେ ଫସଲ ଭଲ ହେବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଜିଲାର ସମସ୍ତ ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ବିତ ଆଚାର୍ଯ୍ୟ, ଉମେଶ ପଣ୍ଡା, ଅଶ୍ୱିନୀ ତ୍ରିପାଠୀ, ଜିଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ଅମାତ, ସହକାରୀ ଜିଲା ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତେ ଚାଷ ଅନୁକୂଳ ପାଗ ଏବଂ ଉନ୍ନତ ଫସଲ ନିମିତ୍ତ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିବା ସହିତ ଅନ୍ନଦାତା ଚାଷୀ ଭାଇମାନଙ୍କର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ କୃଷି ସମ୍ପର୍କିତ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରି ସମ୍ବର୍ଦ୍ଧନା ଜଣାଇଥିଲେ । ଜିଲା କୃଷି ବିଭାଗ ତରଫରୁ କୃଷି ଯନ୍ତ୍ରପାତି ଓ ମାଣ୍ଡିଆର ବିଭିନ୍ନ ଉତ୍ପାଦ ଉପରେ ନିର୍ମିତ ଷ୍ଟଲକୁ ଅତିଥିମାନେ ଉଦଘାଟନ କରିବା ସହିତ ବୁଲି ଦେଖିଥିଲେ । ଜିଲା କୃଷି ଅଧିକାରୀ ଅମାତ ଓ ତାଙ୍କର ସହକର୍ମୀବୃନ୍ଦ କାର୍ଯ୍ୟକ୍ରମର ପରିଚାଳନା କରିିଥିବା ବେଳେ ଜିଲାର ପ୍ରତ୍ୟେକ ବ୍ଲକ୍‌ରୁ ଚାଷୀମାନେ ଯୋଗ ଦେଇଥିଲେ ।