ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ। ପ୍ରକାଶ ଯେ, ଗତ ଜାନୁୟାରୀ ମାସ ୨୧ ତାରିଖ ଉକ୍ତ ଫୋରମର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବରଗଡରେ କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି ଜଣାଇବା ସହିତ ଏହାର ଆବଶ୍ୟକତା ଉପରେ ଅବଗତ କରାଇଥିଲେ। ସେହିପରି ତାର ଠିକ ମାସକ ପରେ ଅର୍ଥାତ୍‌ ଗତ ଫେବୃୟାରୀ ୨୧ ତାରିଖ ମୁଖ୍ୟମନ୍ତ୍ରୀ ବରଗଡ ଜିଲା ଗସ୍ତରେ ଆସି ସୋହେଲା ବ୍ଳକ ଇଚ୍ଛାପାଲିରେ ଅନୁଷ୍ଠିତ ଏକ ସମାବେଶରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସେହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି। ଫଳରେ ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ ବରଗଡ ପୁଣି ସାଙ୍କେତିକ ଧାରଣାକୁ ଓହ୍ଲାଇଛି। ଧାରଣାରେ ଫୋରମର ଆବାହକ ପ୍ରଦୀପ ଦେବତା, ଉପଦେଷ୍ଟା ଡା. ରାଜେଶ ତ୍ରିପାଠୀ, ଅଶ୍ବିନୀ ଦର୍ଜୀ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରୀତମ ସିଂଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ସଭ୍ୟବୃନ୍ଦ ସାମିଲ ଅଛନ୍ତି।