ବମ୍ବେରୁ ଫେରିଲେ ୨୬୧ ପ୍ରବାସୀ, ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌

ଖୋର୍ଦ୍ଧା ଅଫିସ,୧୩।୫: ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବମ୍ବେର ଥାନେ ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଓଡିଶାର ଖୋର୍ଦ୍ଧା ରୋଡ଼ ଷ୍ଟେଶନରେ ପହଞ୍ଚିଛି । ବୁଧବାର ସକାଳ ୯ଟାରେ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ଜିଲାପାଳ ଓ ଜିଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଛନ୍ତି। ସେହିଭଳି ତାମିଲନାଡୁ କୋଏମ୍ବାଟୁରରୁ ଆସିଥିବା ଟ୍ରେନ୍‌ରେ ଗଞ୍ଜାମ ଜିଲାର ୬୧୯ ଜଣ ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଛନ୍ତି। ଏଥିସହ ଖୋର୍ଦ୍ଧା ରୋଡ ରେଳ ଷ୍ଟେଶନରେ ୫୬୪ ଜଣ ଓହ୍ଲାଇଛନ୍ତି।

ସୂଚନା ଅନୁଯାୟୀ, ଥାନେରୁ ଓଡ଼ିଶାର କେନ୍ଦ୍ରାପଡ଼ା ଖୋର୍ଦ୍ଧା, ନୂଆପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ରୁ ପ୍ରାୟ ୨୬୧ ଜଣ ପ୍ରବାସୀ ନିଜ ରାଜ୍ୟକୁ ଫେରିଛନ୍ତି। ଷ୍ଟେଶନରେ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେଶନ କରାଯାଇ ସେମାନଙ୍କ ଜିଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି ।