ବନ ବିଭାଗର କରତକଳ ଉପରେ ଚଢାଉ: ଯନ୍ତ୍ରାଂଶ, କାଠକୁ ଛଡାଇ ନେଲେ ଲୋକେ

ସିମୁଳିଆ, ୨୮ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଷ୍ଟେଶନ ବଜାର ନିକଟରେ ଥିବା ଏକ କରତକଳ ଉପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ମାଜିଷ୍ଟ୍ରେଟ ରୂପେ ସଦର ବ୍ଲକ ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ, ବନ ବିଭାଗୀୟ ଅଧିକାରୀ ସମୀର କୁମାର ସାହୁ, ଚାନ୍ଦିପୁର ଓ ନୀଳଗିରି ରେଞ୍ଜରଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ, ସିମୁଳିଆ ପୋଲିସ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା ଅଧିକାରୀମାନେ ଗ୍ୟାସ କଟର ସହାୟତାରେ କରତକଳର ବିଭିନ୍ନ ଯନ୍ତ୍ରାଂଶ ଓ କାଠଗଣ୍ଡି ଜବତ କରି ଗାଡିରେ ବୋଝେଇ କରିଥିଲେ ା ଅପରାହ୍ନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥିଲା ା ପରେ ସ୍ଥାନୀୟ ମହିଳା ଓ ଜନସାଧାରଣ ପହଞ୍ଚି ଜବତ କାଠ ଓ ଯନ୍ତ୍ରାଂଶଗୁଡିକୁ ଜବରଦସ୍ତ ଗାଡିରୁ ଓହ୍ଲାଇ ଦେଇଥିଲେ ା ବିଭାଗୀୟ ଅଧିକାରୀଙ୍କ ଚଢାଉ ପ୍ରହସନ ବୋଲି ଲୋକେ କହିଥିଲେ। ବାରମ୍ବାର ବିଭିନ୍ନ କରତକଳ ଉପରେ ଚଡାଉ କରାଯାଉଥିଲେ ହେଁ ୨ରୁ ୩ ଦିନ ମଧ୍ୟରେ ଏହି କରତ କଳଗୁଡିକ ପୁଣି କିପରି ଚାଲୁଛି, ଯଦି ସରକାରଙ୍କ ନିୟମ ନାହିଁ ତେବେ ରାଜ୍ୟ ସାରା କରତ କଳଗୁଡିକ ବନ୍ଦ କରିଦିଆଯାଉ ବୋଲି ଜନସାଧାରଣ ଦାବି କରିଥିଲେ ା ଜନସାଧାରଣ ନିଜର ଆବଶ୍ୟକ ମୁତାବକ କାଠ ଓ ପଟା କାଟୁଥିବା ବେଳେ ବିଭାଗୀୟ ଚଢାଉ କରି ଲୋକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ା ଅପରାହ୍ନରେ ବିଭାଗୀୟ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କ ଫୋନ ପାଇ ନିରାଶରେ ଫେରିଯାଇଥିଲେ ା