ବନ୍ୟା ପ୍ରଭାବ : ଶକ୍ତି ଉତ୍ପାଦନ ପ୍ରଭାବିତ, ଦୈନିକ ୧୬ କୋଟି ବ୍ୟୟରେ କିଣାଯାଉଛି ୯୦୦ ମେଗାୱାଟ୍‌ ବିଜୁଳି

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ ହୋଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ସୂଚନା ଦେଇଛନ୍ତି। ବିଶେଷ କରି ଇନ୍ଦ୍ରାବତୀ କ୍ୟାଚମେଣ୍ଟ ଅଞ୍ଚଳରେ ବନ୍ୟା ପାଣିର ପ୍ରକୋପ ଦେଖିବାକୁ ମିଳିଛି। ସେହିପରି ଏନ୍‌ଟିପିସି ୟୁନିଟ୍‌କୁ କୋଲ ଲିଙ୍କେଜ୍‌ ଦ୍ୱାରା କୋଇଲା ପଠାଇବାରେ ବିଳମ୍ବ ହୋଇଥିବା ମନ୍ତ୍ରୀ ସ୍ବୀକାର କରିଛନ୍ତି। ଏହା ଦ୍ୱାରା ଏନ୍‌ଟିପିସିର ୩ଟି ୟୁନିଟ୍‌ରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ତେଣୁ ଆବଶ୍ୟକ ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଦୈନିକ ପ୍ରାୟ ୧୬ କୋଟି ଟଙ୍କା ବ୍ୟୟ କରି ୯୦୦ ମେଗାୱାଟ୍‌ ଶକ୍ତି କ୍ରୟ କରୁଥିବା ଶକ୍ତିମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ୭୨ ଘଣ୍ଟା ମଧ୍ୟରେ ଏନ୍‌ଟିପିସି ୟୁନିଟ୍‌ଗୁଡିକ କୋଇଲା ପଠାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।