ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇ ୨କୋଟି ଟଙ୍କା ଦାନ କରିଥିଲେ। ଏବେ ବିହାର ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସେ ଆଗେଇ ଆସିବା ସହ ୧ କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ଏହି ସହାୟତା ରାଶିରୁ ପ୍ରାୟ ୨୫ଟି ପରିବାରଙ୍କୁ ସାହାଯ୍ୟ ମିଳିପାରିବ। ଛଟ୍‌ ପୂଜା ଅବସରରେ ଅକ୍ଷୟ ପ୍ରତି ପୀଡ଼ିତ ପରିବାରଙ୍କୁ ୪ଲକ୍ଷ ଲେଖାଏଁ ଟଙ୍କା ଦେବେ। ଏଥିସହ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଅନ୍ୟମାନେ ମଧ୍ୟ ଆଗକୁ ଆସିବାକୁ ସେ ନିବଦେନ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନିଜର ସବୁକିଛି ହରାଇ ସାରିଛନ୍ତି; ସେମାନଙ୍କୁ ସାହାଯ୍ୟ କରିବାଠାରୁ ଆଉ କିଛି ବଡ଼ କଥା ନୁହେଁ। ଏହି ସାହଯ୍ୟ ଦ୍ୱାରା ସେମାନେ ନିଜର ନୂଆ ଜୀବନ ଆରମ୍ଭ କରିପାରିବେ ବୋଲି ଅକ୍ଷୟ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ବିହାରରେ ହୋଇଥିବା ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବା ସହ ବହୁ ଲୋକ ବାସଶୂନ୍ୟ ହୋଇପଡ଼ିଛନ୍ତି। ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି।

Share