Categories: ଜାତୀୟ

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ ଜଣେ ୧୨ ବର୍ଷ ବାଳକର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ପାଣିରେ ବୁଡି ରହିଥିବା ଏକ ପୋଲ ଉପରେ ଗୋଟିଏ ଆମ୍ବୁଲାନ୍ସ ଫଶି ରହିଥିବା ବେଳେ ୧୨ ବର୍ଷର ବାଳକ ଭେଙ୍କଟେଶ ତାକୁ ବାଟ କଢାଇ ନେଇଥିଲେ। ଆମ୍ବୁଲାନ୍ସଟି ଯାଉଥିବା ସମୟରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଭେଙ୍କଟେଶ ସେହି ବନ୍ୟା ପାଣିରେ ଖେଳୁଥିଲେ। ଆଉ ଆମ୍ବୁଲାନ୍ସ ଡ୍ରାଇଭର ବାଡ ଭୁଲିଯାଇଥିବାରୁ ପିଲାଟିକୁ ସାହାଯ୍ୟ ମାଗିଥିଲେ। ତେବେ ଭେଙ୍କଟେଶ ଆଉ କିଛି ଚିନ୍ତା ନ କରି ତୁରନ୍ତ ସାହାଯ୍ୟ କରିବାକୁ ବାହାରି ଆସି ଆଗେ ଆଗେ ପାଣିରେ ପଶି ଆମ୍ବୁଲାନ୍ସଟିକୁ ବାଟ କଢାଇ ନେଇଥିଲେ।

ପୋଲ ଆରପଟେ ଥିବା ଲୋକ ଏହି ସମୟର ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିବା ସହ ଭେଙ୍କଟେଶଙ୍କୁ ସାହାସ ଯୋଗାଇ ଥିଲେ। ଏହାପରେ ସେଠାରେ ଥିବା ଜଣେ ବ୍ୟକ୍ତି ଭେଙ୍କଟେଶଙ୍କୁ ନେବା ପାଇଁ ପାଣି ଭିତରକୁ ଚାଲି ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ୬ଟି ରୋଗୀଣା ଶିଶୁଙ୍କ ସହ ଜଣେ ମୃତ ମହିଳାଙ୍କୁ ନେଇ ଯାଉଥିବା ସମୟରେ ବନ୍ୟା ପାଣିରେ ଫଶି ଯାଇଥିଲା।

Share