ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ

କର୍ଲାମୁଣ୍ଡା,୨୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ ଗ୍ରାମ ପ୍ରଭାବିତ ହେବା ସହ ଚାଷୀଙ୍କ ରୁଆଧାନ ନଷ୍ଟ ହେବା ସାଙ୍ଗକୁ ମାଟିଘରଗୁଡିକ ଭୁଶୁଡ଼ି ପଡ଼ିଥିଲା। ବ୍ଲକର କିଛି ସ୍ଥାନରେ ଆର୍‌ଡି ଓ ପିଡବ୍ଲୁଡି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପଞ୍ଚାୟତ ଓ ସମିତି ରାସ୍ତାଗୁଡିକର ମରାମତି ବର୍ତ୍ତମାନ ସୁଦ୍ଧା ହୋଇପାରି ନ ଥିବା ଜଣାପଡ଼ିଛି। କର୍ଲାମୁଣ୍ଡା ଠାରୁ ରିଞ୍ଜାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ସରବରା ଯୋରଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଚାରିଚକିଆ ଗାଡ଼ି ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପକ୍ଷରେ ଏହି ବ୍ଲକର ଉତେଇନଦୀ ଓ ତେଲନଦୀ ନିକଟରେ ଥିବା ତେରେକେଲା, ତେରେସିଂହା, ବିନ୍ଧାଣୀ, ବୁଢ଼ୀପଦର, ଖରଝୁରା, ପୁଟିଗାଁ, ସନ୍ଧିମୁଣ୍ଡା, ମାଲପଡ଼ା, ବାଗବୁରାଇ, ରିଞ୍ଜା, ଦେଗାଁ, ଖଲିଆପାଲି, ବୋରପଦର ରେଗେଡ଼ା, ଯୋଗିପଲା, ବିଜାପାଟି, ସାପଲହରା, କେର୍ଣ୍ଣାପଲା, ଏକାତରା, ଟେର୍ଚ୍ଚାପଲା ଆଦି ଗାଁରେ ରୁଆ ଧାନ ଚାଷରେ ବାଲିଚର ମାଡ଼ିଯାଇଛି। ଏହାବ୍ୟତୀତ କର୍ଲାମୁଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବୋରପଦର ପଞ୍ଚାୟତର ବତୀକୂପା,ପୁରଗୁଡ଼ିପଦରରେ ପାହାଡ଼ ପାଣି ଆସି ଚାଷ ଜମିକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ପ୍ରବଳ ବର୍ଷା ପାଣିରେ ରିଷିଡ଼ା ଅଞ୍ଚଳରେ ମଧ୍ୟ ଚାଷଜମି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏନେଇ କର୍ଲାମୁଣ୍ଡା ଭାରପ୍ରାପ୍ତ ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ବନ୍ୟାରେ ବ୍ଲକର ୧୨ଟି ପଞ୍ଚାୟତରେ ମୋଟ ୩୦୨ ହେକ୍ଟର ଚାଷଜମିରେ ବାଲିଚର ଓ ୫୪ଟି ଘର ଘର ଭାଙ୍ଗିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ୬୨୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ଉଭୟ ବିଭାଗର ତଥ୍ୟରେ ତାଳମେଳ ରହୁ ନ ଥିବାରୁ ଉପଯୁକ୍ତ ତଦନ୍ତ ସହିତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ ଓ ଚାଷୀମାନେ ଦାବି କରିଛନ୍ତି।