Categories: ଜାତୀୟ

ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା

ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି। ହେଲେ ଏହି ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା ନିଜ କର୍ତ୍ତବ୍ୟ ଭୁଲି ବିରିୟାନୀ ପାର୍ଟିରେ ସାମିଲ ହୋଇଥିବା ଭାଜପା ଅଭିଯୋଗ କରିଛି। କାରଣ ସିଦ୍ଧରମେୟାଙ୍କ ନିର୍ବାଚନ ମଣ୍ଡଳୀ ବାଦାମୀ ମଧ୍ୟ ବନ୍ୟା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହାକୁ ଯେମିତି ପାଶୋରି ଯାଇଛନ୍ତି ସିଦ୍ଧରମେୟା। ଏହାକୁ ନେଇ ଭାଜପା ସିଦ୍ଧରମେୟାଙ୍କୁ ଟାର୍ଗେଟ କରିଛି। ସେ କହିଛି, ଯଦି ବିରିୟାନୀ ଖାଇବା ସରିଗଲା ତେବେ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବନ୍ୟା ପୀଡ଼ିତଙ୍କ କଥା ବୁଝିବା ସହ ତାଙ୍କର ସାହାଯ୍ୟ କରନ୍ତୁ। ଯାହାଙ୍କ ପାଇଁ ସେ ଆଜି ନେତା ହୋଇଛନ୍ତି ତାଙ୍କ କଥା କିଭଳି ଭୁଲିଯାଉଛନ୍ତି ବୋଲି ଭାଜପା ପ୍ରଶ୍ନ କରିଛି। ଏଥିସହ ଭାଜପା ପକ୍ଷରୁ ଟୁଇଟରରେ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ କଂଗ୍ରେସ ବିଧାୟକଙ୍କ ଘରେ ବିରିୟାନୀ ପାର୍ଟିରେ ସିଦ୍ଧରମେୟା, କର୍ନାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଦଳର କିଛି ବିଧାୟକ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପସନ୍‌ରେ ଲେଖିଛନ୍ତି, ସିଦ୍ଧରମେୟାଙ୍କୁ ବିରିୟାନୀ ପାର୍ଟିରେ ଯୋଗଦେବା ପାଇଁ ସମୟ ଅଛି ହେଲେ ବନ୍ୟାରେ ପ୍ରଭାବିତ ହୋଇଥିବା ବାଦାମୀ ଅଞ୍ଚଳକୁ ଗସ୍ତ କରି ବନ୍ୟା ପୀଡ଼ିତଙ୍କ କଥା ବୁଝିବା ପାଇଁ ତାଙ୍କ ପାଖରେ ସମୟ ନାହଁ।

Share