Categories: ଜାତୀୟ

ବନ୍ଧକ ଥିବା ସମସ୍ତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର

ଲକ୍ଷ୍ନୌ,୩୧।୧: ଉତ୍ତରପ୍ରଦେଶର ଫରୁଖାବାଦ ଜିଲାରେ ଜଣେ ଦୁର୍ବୃତ୍ତ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦିକରି ରଖିଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ୨୩ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏନ୍‌କାଉଣ୍ଟରରେ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫରୁଖାବାଦ ଜିଲା ମୋହମଦାବାଦ ଥାନା ଅଞ୍ଚଳର କିର୍‌ଥା ଗାଁରେ ଗୁରୁବାର ଅପରାହ୍ନରୁ ସୁଭାଷ ବାଥମ୍‌ ନାମକ ଜଣେ ବ୍ୟକ୍ତି ଜନ୍ମଦିନ ପାଳନ ଆଳରେ ୨୩ଜଣ ଶିଶୁଙ୍କୁ ଡାକି ସେମାନଙ୍କୁ ଏକ ଘରେ ବନ୍ଧକ କରି ରଖିଥିଲେ। ପିଲାମାନଙ୍କୁ ଅଟକ ରଖିଥିବା ଜାଣିପାରି ଗାଁଲୋକେ ଛାଡିବାକୁ ସୁଭାଷଙ୍କୁ କହିବାରୁ ସେ ପାଲଟା ଆକ୍ରମଣ କରିଥିଲେ। ଏନେଇ ଗାଁଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଓ ଏନ୍‌ଏସ୍‌ଜି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରକୁ ଘେରାଓ କରି ପିଲାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଭୟଭୀତ ସୁଭାଷ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲା। ଦୀର୍ଘ ୯ରୁ ୧୧ଘଣ୍ଟା ଧରି ଏହି ରେସ୍‌କ୍ୟୁ ଅପରେଶନ୍‌ ଚାଲିଥିଲା। ଏହି ଏନ୍‌କାଉଣ୍ଟରରେ ଅଭିଯୁକ୍ତ ସୁଭାଷଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି ବୋଲି ଡିଜିପି ଓ.ପି. ସିଂହ କହିଛନ୍ତି। ଅପରପକ୍ଷେ ଏହି ରେସକ୍ୟୁ ଅପରେଶନ୍‌ରେ ସାମିଲ ଥିବା ପୋଲିସ ଟିମ୍‌ଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପୁରସ୍କାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଅଭିଯୁକ୍ତ ଜଣଙ୍କ ହତ୍ୟା ଅଭିଯୋଗରେ କିଛି ଦିନ ତଳେ ପାରୋଲରେ ଆସିଥିଲେ।

Share