ବନ୍ଦ ହେଲା ବାୟାଣି ଯାତ୍ରା

ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ଯାତ୍ରା ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ତେବେ ନୀତିକାନ୍ତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପୂଜକଙ୍କ ଦ୍ୱାରା ଅନୁଷ୍ଠିତ ହେବ। ଯାତ୍ରାରେ ଯେପରି ଜନସମାଗମ ନ ହୁଏ ସେଥିପ୍ରତି ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଭକ୍ତମାନେ ପୀଠକୁ ଆସିଲେ ଅଯଥାରେ ହଇରାଣ ହେବେ। ତେଣୁ ଶ୍ରଦ୍ଧାଳୁଙ୍କ ନ ଆସିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। କେଉଁ ଆବହମାନ କାଳରୁ ଚୈତ୍ରମାସ ଦ୍ୱିତୀୟା ତିଥିରେ ମା’ଙ୍କ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୋଇଥାଏ। ଏଥିରେ ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ସାମାଗମ ହୋଇଥାଏ। ଯାତ୍ରା ପାଇଁ ପାତ୍ରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଚାଲିଥିଲା। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା ଲକ୍‌ଡାଉନକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି।