ବନ୍ଦ ହେଲା ଟେଲିଭିଜନ ଲାଇଭ୍‌ ଶୋ’: ୨୫ କର୍ମଚାରୀ ପଜିଟିଭ

ଚେନ୍ନାଇ,୨୧।୪: ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ୫୩ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ଥିବା ଖବର ଆସିବା ପରେ ଏବେ ଚେନ୍ନାଇର ଏକ ତାମିଲ ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହା କରୋନା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏମାନଙ୍କ ମଧ୍ୟରେ ଖବରଦାତା, କ୍ୟାମେରାମ୍ୟାନ ଓ ଅନ୍ୟ କର୍ମଚାରୀ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ଟେଲିଭିଜନ ଚ୍ୟାନେଲର ପାଖାପାଖି ୯୪ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ୨୫ଜଣ କରୋନା ପଜିଟିଭ ଥିବା ଜଣାପଡିଛି। ଫଳରେ ଚ୍ୟାନେଲର ଲାଇଭ୍‌ ଶୋ’ ବନ୍ଦ ହେବା ସହ ଅନ୍ୟ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ମୁମ୍ବାଇର ୧୭୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କର ପଜିଟିଭ ଆସିଥିଲା। ଏହାକୁ ଦେଖିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରିବା ଆବଶ୍ୟକ ବୋଲି କହିଥିଲେ।

Share