ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା ପାକିସ୍ତାନ ଏବେ ଭାରତ ସହ ବସ୍‌ ସେବାକୁ ମଧ୍ୟ ବନ୍ଦ କରି ଦେଇଛି। ଶନିବାର ଅମୃତସର-ଲାହୋର ବସ୍‌ ସେବାକୁ ପାକିସ୍ତାନ ବନ୍ଦ କରିଥିବା ସୂଚନା ମିଳିଛି। ତେବେ ଭାରତରେ ଥିବା ପାକିସ୍ତାନର ବସ୍‌କୁ ପାକିସ୍ତାନ ନେଇଯିବା ସହ ପାକିସ୍ତାନରେ ଥିବା ଭାରତର ବସ୍‌କୁ ସେ ଖାଲି ଭାରତ ପଠାଇ ଦେଇଛି। ତେବେ ପାକିସ୍ତାନ ପକ୍ଷରୁ ଏ ସମ୍ପର୍କରେ କୌଣସି ଲିଖିତ ସୂଚନା ଦିଆଯାଇ ନାହିଁ। ହେଲେ ପାକିସ୍ତାନର ପରିବହନ ମନ୍ତ୍ରୀ ଶୁକ୍ରବାର ଟୁଇଟ୍‌ କରି ଅମୃତସର-ଲାହୋର ବସ୍‌ ସେବା ବନ୍ଦ ହୋଇଥିବା କହିଥିଲେ। ତେବେ ବସ୍‌ ଡ୍ରାଇଭରଙ୍କ ସୂଚନାଅନୁଯାୟୀ, ପାକିସ୍ତାନର ଟର୍ମିନାଲରେ ଥିବା ଅଧିକାରୀମାନେ ଏହି ବସ୍‌ ସେବାକୁ ବନ୍ଦ କରି ଦେଇଛନ୍ତି। ୧୯୯୯, ଫେବୃୟାରୀ ୧୯ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଏହି ବସ୍‌ ସେବା ଆରମ୍ଭ କରାଯାଇଥିଲା। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ବିଚଳିତ ହୋଇ ଏଭଳି ନିଷ୍ପତ୍ତି ନେଉଛି ବୋଲି ଆଲୋଚନା ହେଉଛି।

Share