ବନ୍ଦ ମନ୍ଦିର କୋଠରିରେ ୧୦ ଘଣ୍ଟା ମା’, ଝିଅ: ତାଲା ଭାଙ୍ଗି ଉଦ୍ଧାର କଲା ପୋଲିସ

ପୁରୀ ଅଫିସ,୨୧।୫: ପୁରୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୦ଘଣ୍ଟା ଧରି ଏକ ମନ୍ଦିରର ବନ୍ଦ କୋଠରିରେ ରହିବା ପରେ ସୋମବାର ସକାଳେ ମୁକୁଳିଛନ୍ତି ମା’ ଓ ଝିଅ। ଅଜାଣତରେ ପୂଜକଙ୍କ ଭୁଲ ଯୋଗୁ ସେମାନଙ୍କୁ ଭୋଗିବାକୁ ପଡ଼ିଛି ଏଭଳି ଦଣ୍ଡ।
ସୂଚନା ଅନୁଯାୟୀ, କୁମ୍ଭାରପଡ଼ା ଥାନା ଅଧୀନ ନବକଳେବର ରୋଡ଼ ଅଞ୍ଚଳରେ ଥିବା ଗାୟତ୍ରୀ ମନ୍ଦିର ପରିସରସ୍ଥ ଏକ କୋଠରିରେ ମା’ ଓ ଝିଅଙ୍କୁ ତାଲା ପକାଇ ରଖାଯାଇଥିବା ସୋମବାର ସକାଳେ ପ୍ରଚାରିତ ହୋଇଯାଇଥିଲା। ଫଳରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଅଞ୍ଚଳବାସୀଙ୍କଠାରୁ ଖବର ପାଇ ସକାଳ ୮ଟାରେ ପୋଲିସ ପହଞ୍ଚତ୍ ଘର ତାଲା ଭାଙ୍ଗିଥିଲା। ବନ୍ଦ କୋଠରିରେ ମା’ ଏବଂ ଝିଅ ରହିଥିବା ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ପୋଲିସ ଉଦ୍ଧାର କରିବା ସହ ସନ୍ଦେହରେ ମନ୍ଦିର ପୂଜକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ତାଙ୍କୁ ଛାଡ଼ି ଦେଇଥିଲା। ଏ ନେଇ ଥାନା ଅଧିକାରୀ ଏସ.କେ.ଦାଶ କହିଛନ୍ତି ଯେ, ରବିବାର ରାତିରେ ମନ୍ଦିର ଅନ୍ଧାର ଥିଲା। ଏହି ସମୟରେ ମା, ଝିଅ ମନ୍ଦିର ଅଫିସ୍‌ରେ ଶୋଇ ପଡ଼ିଥିଲେ। ପୂଜକ ତାଲା ପକାଇବାବେଳେ ସେମାନଙ୍କୁ ଦେଖିପାରି ନ ଥିଲେ। ପରେ ସେ ଘରକୁ ଚାଲିଯାଇଥିଲେ। ତାଙ୍କ ଅଜାଣତରେ ଭୁଲବଶତଃ ଏପରି ହୋଇଥିବା ପୂଜକ ପଚରାଉଚରା ବେଳେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଥାନାଧିକାରୀ କହିଛନ୍ତି।