ବନ୍ଦ ମଦ ଦୋକାନ ଖୋଲି ରାଜସ୍ବ ବଢ଼ାଅ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବନ୍ଦ ହୋଇପଡ଼ିଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ପୁନଃକାର୍ଯ୍ୟକ୍ଷମ କରି ରାଜସ୍ବ ବଢ଼ାଅ। ଭୁବନେଶ୍ୱରରେ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମଦମୃତ୍ୟୁ ରୋକିବା ପାଇଁ ଅବକାରୀ ଧରପଗଡ଼କୁ ଜୋର୍‌ଦାର କରିବା ସହ ମଦ ଦୋକାନ ପରିଦର୍ଶନ କରି ଅଣଶୁଳ୍କ, ବିଷାକ୍ତ, ବେଆଇନ୍‌, ଚୋରା ମଦ ବିକ୍ରି ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମଲ୍ଟି ଡିସ୍‌ପ୍ଲିନାରୀ ସ୍କ୍ବାଡ଼ ଓ ଅଧିକାରୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ମଧ୍ୟ କହିଛନ୍ତି। ବିଭାଗୀୟ ଶାସନ ସଚିବ ସୁଶୀଲ କୁମାର ଲୋହାନି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ବିଭାଗରେ ସ୍ବଚ୍ଛତା ଓ ରାଜସ୍ବ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଅବକାରୀ ଆୟୁକ୍ତ ଅଞ୍ଜନ କୁମାର ମାଣିକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଓ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବୈଠକରେ ଅତିରିକ୍ତ ଶାସନ ସଚିବ ଡ. ତ୍ରିବିକ୍ରମ ପ୍ରଧାନ, ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଯୁଗ୍ମ ଶାସନ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଅବକାରୀ ଉପାୟୁକ୍ତଙ୍କ ସହ ସମସ୍ତ ଅବକାରୀ ଅଧିକ୍ଷକ ଓ ଅବକାରୀ ଗୋଇନ୍ଦା ବିଭାଗର ଅଧିକାରୀ ଯୋଗ ଦେଇଥିଲେ।