ବନ୍ଦ ଡାକରାକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି: ଭାଜପା

ଭୁବନେଶ୍ୱର,୯ା୧(ବ୍ୟୁରୋ):କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବୁଧବାରର ଜୀବନଯାତ୍ରା ସ୍ବାଭାବିକ ରହିଥିବା ଭାଜପା ପକ୍ଷରୁ କୁହାଯାଇଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ। ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା। ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ଼ ସହରରେ ଲୋକମାନେ ଏହି ବନ୍ଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦେଶର ଜନତା ଉଭୟ ବାମପନ୍ଥୀ ଓ କଂଗ୍ରେସକୁ ନିର୍ବାଚନୀ ମଇଦାନରେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀଙ୍କ ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦର୍ଶାଉଛି ବୋଲି ସମୀର କହିଛନ୍ତି। ସେହିପରି ଗତ କିଛି ମାସ ମଧ୍ୟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ, ନାଗରିକତ୍ୱ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି। ଭାରତ ବନ୍ଦ କାର୍ଯ୍ୟକ୍ରମ ଦ୍ୱାରା ଶ୍ରମିକମାନଙ୍କର କ’ଣ କ୍ଷତି ହେବ ତାହା ବିରୋଧୀ ବୁଝାଇବାରେ ଅକ୍ଷମ। ଅଣସଙ୍ଗଠିତ ଶ୍ରମିକମାନଙ୍କର ପେନସନ ପାଇଁ ଆଗରୁ କୌଣସି ସରକାର ଚିନ୍ତା କରି ନ ଥିଲେ। ହେଲେ କେନ୍ଦ୍ର ସରକାର ଶ୍ରମିକଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଛନ୍ତି। ସେହିଭଳି ପ୍ରୋଭିଡେଣ୍ଟ ଫଣ୍ଡରେ ସୁଧାର ଆଣି ଏହାକୁ ଶ୍ରମିକ କଲ୍ୟାାଣ ଅଭିମୁଖୀ କରାଯାଇଥିବା ସମୀର କହିଛନ୍ତି।