‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଓ ସହରାଞ୍ଚଳରେ ସୂଚାରୁ ରୂପରେ ତୁଲାଇବା ପାଇଁ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ସମସ୍ତ ଜନସାଧାରଣ, ସରକାରୀ, ବେସରକାରୀ ଅନୁଷ୍ଠାନ, ଶିଳ୍ପ, ବାଣିଜ୍ୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ,ସ୍ବେଚ୍ଛାସେବୀ, ସମାଜସେବୀ ଅନୁଷ୍ଠାନର ସଦସ୍ୟାସଦସ୍ୟମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧି ଏହି ସଙ୍ଗୀତ ଗାନ କରିବାକୁ ଅନୁରୋଧ କରାଯାଇଛି। ଠିକ୍‌ ସନ୍ଧ୍ୟା ୫ଟା ୩୦ମିନିଟ୍‌ ସମୟରେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ସାହିତ କରିବେ। ଏଥିସହିତ ସଙ୍ଗୀତ ଗାନ ସମୟର ଭିଜୁଆଲ ନିଜ ମୋବାଇଲ ବା କ୍ୟାମେରାରେ ରେକର୍ଡ଼ିଂ କରି ଜିଲା ପ୍ରଶାସନର ଅବଗତି ନିମନ୍ତେ ହ୍ବାଟସ୍‌ଆପ ନମ୍ବର ୭୯୭୮୬ ୯୪୦୪୬ ମାଧ୍ୟମରେ ପଠାଇପାରିବେ। ବୈଠକର ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ପ୍ରକାଶ ବେହେରା, ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା