Categories: ଭଦ୍ରକ

ବନ୍ତରେ ରୁରାଲ ହାଉସିଂ ପରାମର୍ଶଦାତା: ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ବନ୍ତ,୮।୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆର୍‌.ଏଚ୍‌(ରୁରାଲ ହାଉସିଂ) ପରାମର୍ଶଦାତା ନିରଞ୍ଜନ ବେହେରା ଶୁକ୍ରବାର ବନ୍ତ ବ୍ଲକ ପରିଦର୍ଶନ କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ସେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଗୃହ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ହେଉଛି କି ନାହିଁ, ନିର୍ମାଣ ବେଳେ ପିଇଓମାନେ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛନ୍ତି କି ନାହିଁ, ନିର୍ମାଣ ସାମଗ୍ରୀର ମାନ ଠିକ୍‌ ରହିଛି କି ନାହିଁ, ହିତାଧିକାରୀମାନେ ଠିକ୍‌ ସମୟରେ ବିଲ୍‌ ପାଉଛନ୍ତି କି ନାହିଁ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହିତାଧିକାରୀମାନଙ୍କୁ ପ୍ରାପ୍ୟ ମିଳୁଛି କି ନାହିଁ ଏହିଭଳି ବିଭିନ୍ନ ସମ୍ପର୍କରେ ସେ ପଚାରି ବୁଝିଥିଲେ। ଟିଲୋ ପଞ୍ଚାୟତରେ ଶାଳକଣିଆ, ଧୋବତଳିଆ, ଟିଲୋ ଆଦି ଗ୍ରାମର ୬ ହିତାଧିକାରୀଙ୍କୁ ସେ ଭେଟିବା ସହ ଗୃହ ନିର୍ମାଣ କାର୍ଯ୍ୟ ଦେଖିଥିଲେ। ସେହିପରି ନିଳୋକ ପଞ୍ଚାୟତର ନିଳୋକ, ବେଗନା ଆଦି ଗ୍ରାମ ସମେତ ବନ୍ତ, ଛୟାଳସିଂ ଆଦି ପଞ୍ଚାୟତ ପରିଦର୍ଶନ କରି ତଦାରଖ କରିଥିଲେ। ଭଦ୍ରକ ଡିଆର୍‌ଡିଏର ଜିଲା ସାମାଜିକ ସମୀକ୍ଷକ ଅମର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା, ନାରାୟଣ ପଣ୍ଡା ଓ ଅଲେଖ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।