ବନବିଭାଗ ଚଢ଼ାଉ : କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ

ଲାଠୋର, ୮ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଉପରେ ବନବିଭାଗ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନିର୍ମିତ କାଠ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଥିବା ଡିଏଫଓ ସମୀର କୁମାର ଶତପଥୀ ସୂଚନା ଦେଇଛନ୍ତି।
ଡିଏଫଓ ଶତପଥୀଙ୍କ ସୂଚନା ଅନୁସାରେ ଉକ୍ତ ଫର୍ଣ୍ଣିଚର ଦୋକାନରେ ବେଆଇନ ଭାବେ କାଠ ସାମଗ୍ରୀ ନିର୍ମାଣ କରି ବାହାରକୁ ଚାଲାଣ କରାଯାଉଥିବା ନେଇ ୧୫ଦିନ ତାଙ୍କୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଶନିବାର ଏକ ଟିମ୍‌ ଗଠନ କରାଯାଇ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା। ଶନିବାର ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ସାଗୁଆନ କାଠରେ ତିଆରି ପଲଙ୍କ, ସୋଫା, କବାଟ ଏବଂ ଅର୍ଦ୍ଧନିର୍ମିତ ସାମଗ୍ରୀ ଜବତ କରାଯାଇଥିଲା। ଏହା ସହ ସାଗୁଆନ କାଠ ଗଣ୍ଡି, ପଟା, ସିମିଳି ଗଣ୍ଡି, କେନ୍ଦୁ କାଠ ସହ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ବିଭିନ୍ନ ଯନ୍ତ୍ର ଜବତ କରାଯାଇଛି। ଏସବୁର ସରକାରୀ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଡିଏଫଓ ଶତପଥୀ ପ୍ରକାଶ କରିଛନ୍ତି। ଜବତ ସମସ୍ତ ସାମଗ୍ରୀକୁ ଟ୍ରାକ୍ଟର ଯୋଗେ ଲାଠୋର ବନ କାର୍ଯ୍ୟାଳୟକୁ ନିଆଯାଇଛି। ଦୀର୍ଘଦିନରୁ ଲାଠୋରରେ ଏହି ବେଆଇନ କାରବାର ଚାଲୁଥିବା ଜବତ ସାମଗ୍ରୀକୁ ଦେଖିଲେ ସ୍ପଷ୍ଟରୂପେ ଜଣାପଡୁଛି। ନିୟମ ଅନୁସାରେ ବିନ ବିଭାଗର ଅନୁମତି ନେଇ ସାମଗ୍ରୀ ନିର୍ମାଣ କରିବା କଥା। ହେଲେ ଏଠାରେ ତାହାର ଉଲ୍ଲଂଘନ କରାଯାଇଥିବା ଚଢାଉରୁ ଜଣାପଡିଥିଲା। ଫଳରେ କରତକଳର ମାଲିକ ପବନ ଶର୍ମା ଓ ମୁକେଶ ଶର୍ମାଙ୍କ ସହିତ କାଠ ମିସ୍ତ୍ରୀ ତୁଖାରାମ ନାଗ, କୃଷ୍ଣ ପାତ୍ର, କୈଳାସ ପୁଟେଲ, ହାଲିଫ ଘୋଷିଙ୍କୁ ଗିରଫ କରାଯାଇଛି। ଡିଏଫଓ ଶତପଥୀଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବଲାଙ୍ଗୀର ଏସିଏଫ ବାବାଜୀ ଚରଣ ରାଉଳ, ଲାଠୋର ରେଞ୍ଜର ଦେବଦତ୍ତ ସୂତାର, ମୋବାଇଲ ସ୍କାର୍ଡ, ଏପିଆର ଫେୀର୍ସ, କଣ୍ଟାବାଞ୍ଜି ଓ ଲାଠୋର ବନକର୍ମଚାରୀ ସାମିଲ ଥିଲେ।