ବଧୂ ହତ୍ୟା ଅଭିଯୋଗ

ଭଣ୍ଡାରିପୋଖରୀ, ୨୭।୫ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତମହିଳା ହେଲେ ପ୍ରମିଳା ଦାସ। ପ୍ରମିଳାଙ୍କ ସାନ ବାପା ବସନ୍ତ ପାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଭଣ୍ଡାରିପୋଖରୀ ଥାନା ପୋଲିସ ଏନେଇ ମୃତ ମହିଳାଙ୍କ ସ୍ବାମୀ ହିମାଂଶୁ ଦାସଙ୍କ ସମେତ ୪ଜଣଙ୍କ ନାମରେ ଏକ ମାମଲା (ନଂ.୯୩/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ବନ୍ତ ଥାନା ଅଣ୍ଡିଆ ଗ୍ରାମର ପ୍ରମିଳା ୨୦୧୫ ଡିସେମ୍ବର ମାସରେ ହିମାଂଶୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶାଶୁ ଘର ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ ମୀମାଂସା ହୋଇଥିଲା। ଗତ ସୋମବାର ପ୍ରମିଳାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେବାସହ ବିଷ ପିଆଇ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।