ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ

ଯାଜପୁର,୧୩।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା (୨୫)। ସେ ୩ ଦିନ ତଳୁ ନିଖୋଜ ଥିବା ଶାଶୁଘର ଲୋକେ କହୁଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ ଗାଁ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି।
ସୂଚନାନୁଯାୟୀ, ସଦର ଥାନା ଅଧୀନ ସିମିଳିଆ ଗ୍ରାମର ଚୈତନ୍ୟ ବରାଳଙ୍କ ଝିଅ କବିତା ୩ ବର୍ଷ ତଳେ ଲକ୍ଷ୍ମୀଧରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଶାଶୁଘର ଲୋକଙ୍କ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ହେଲେ ବିବାହ ପରଠାରୁ କବିତାଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ଗତ ୧୦ ତାରିଖ ରାତିରେ କବିତା ଶାଶୁଘର ଲୋକେ ନିର୍ଯାତନା ଦେବା କଥା ବାପଘରକୁ ଫୋନ କରି ଜଣାଇଥିଲେ। ବାପଘର ଲୋକେ ଶାଶୁଘରେ ସେହି ରାତିରେ ପହଞ୍ଚି କବିତା କୁଆଡ଼େ ପଳାଇ ଯାଇଥିବା ଶୁଣିବାକୁ ପାଇଥିଲେ। ସବୁଆଡ଼େ ଖୋଜାଖୋଜି କରି ନିରାଶ ହୋଇ ଘରକୁ ଫେରିଆସିଥିଲେ। ତେବେ ଶୁକ୍ରବାର ସକାଳୁ କବିତାଙ୍କ ମୃତଦେହ ସ୍ଥାନୀୟ ପୋଖରୀରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କେସ୍‌ ନଂ. ୩୫୯/୧୯ରେ ଏକ ମାମଲା ରୁଜୁ କରି ଲକ୍ଷ୍ମୀଧରଙ୍କ ସହିତ ତାଙ୍କ ଭାଉଜଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।