ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର

ଭୁବନ,୨୫।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ (ବି) ଗ୍ରାମର ବାଳକୃଷ୍ଣ ପରିଡ଼ାଙ୍କ ଝିଅ ବନିତା ରାଉତ (୨୩)। ବନିତା ମେ ୨୦୧୮ରେ ସୁରପ୍ରତାପପୁର ଡିହସାହିର ଭୋଳେଶ୍ୱର ରାଉତଙ୍କ ପୁଅ ପ୍ରତାପ(୨୯)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ଶାଶୁଘର କହିବା ଅନୁସାରେ ଯୌତୁକ ଦିଆଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ବନିତାଙ୍କୁ ଶାଶୁଘର ଲୋକେ ବାରମ୍ବାର ବାପଘରୁ ଅଧିକ ଯୌତୁକ ଆଣିବାକୁ କହିବା ସହ ମାରପିଟ୍‌ କରିଥା’ନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସୋମବାର ସକାଳେ ବନିତାଙ୍କ ଶାଶୁଘର ଲୋକେ ସେ ଆତ୍ମହତ୍ୟା କରିଥିବା ବାପଘରକୁ ଫୋନ୍‌ ଯୋଗେ ଜଣାଇଥିଲେ। ଖବର ପାଇ ବନିତାଙ୍କ ପରିବାର ଲୋକେ ପହଞ୍ଚି ଦେଖିଲା ବେଳକୁ ବନିତାଙ୍କ ମୃତ୍ୟୁ ହୋଇସାରିଥିଲା। ସଙ୍ଗେ ସଙ୍ଗେ ବନିତାଙ୍କ ମାଆ ଅହଲ୍ୟା ପରିଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସଙ୍ଗେ ସଙ୍ଗେ ବନିତାଙ୍କ ସ୍ବାମୀ ପ୍ରତାପଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। ଭୁବନ ତହସିଲଦାର ଶକ୍ତିକାନ୍ତ ରାୟ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ବନିତାଙ୍କ ଶାଶୁ, ଶ୍ୱଶୁର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।