Categories: ଜାତୀୟ

ବଦଳିଲା ଶାହଙ୍କ ଠିକଣା

ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ବହନ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠିକଣା ଏବେ ବଦଳି ଯିବ। ୧୧, ଆକବର ରୋଡ ବଦଳରେ ଏବେ ଶାହ ରହିବେ ୬ଏ, କ୍ରିଷ୍ଣା ମେନନ ମାର୍ଗ ରେସିଡେନ୍ସରେ। ପୂର୍ବରୁ ଏହା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ଦିଆଯାଇଥିବା ବେଳେ ଏବେ ହାଉସିଂ ଆଣ୍ଡ ଅର୍ବାନ୍‌ ଆଫେୟାର୍ସ ମିନିଷ୍ଟ୍ରି ଦ୍ୱାରା ଏହା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ମିଳିଛି। ଏହା ଶାହଙ୍କ ଉତ୍ତର ବ୍ଲକରେ ଥିବା କାର୍ଯ୍ୟାଳୟ ନିକଟରେ ହୋଇଥିବା ବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଛି। ୧୧, ଆକବର ରୋଡ ବଙ୍ଗଳାଟି ୨.୩ ଏକର ପରିମିତ ସ୍ଥାନରେ ହୋଇଥିବା ବେଳେ ଏବେକାର ୬ଏ, କ୍ରିଷ୍ଣା ମେନନ ମାର୍ଗ ରେସିଡେନ୍ସ ୩ ଏକର ପରିମିତରୁ ସାମାନ୍ୟ ଅଧିକ ରହିଛି। ଏଥିରେ ୭ଟି ଶୟନ କକ୍ଷ ଥିବା ବେଳେ ୨ଟି ଅତିଥି କକ୍ଷ ରହିଛି। ଖୁବ୍‌ଶୀଘ୍ର ଶାହ ଏହି ବଙ୍ଗଳାକୁ ସ୍ଥାନାନ୍ତର ହେବେ। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ବାଜପେୟୀଙ୍କ ମୃତ୍ୟୁ ପରେ ନଭେମ୍ବରରେ ତାଙ୍କ ପରିବାର ଉକ୍ତ ବଙ୍ଗଳାକୁ ଖାଲି କରିଦେଇଥିଲେ। ତେବେ ବାଜପେୟୀ ୬ଏ, କ୍ରିଷ୍ଣା ମେନନ ମାର୍ଗ ରେସିଡେନ୍ସରେ ପାଖାପାଖି ୧୪ ବର୍ଷ ରହିଥିଲେ।

Share