Categories: ଜାତୀୟ

ବଦଳିଯିବ ଜମ୍ମୁ-କଶ୍ମୀରର ରୂପ, ପିଓକେର ଲୋକେ ଭାରତର ଅଂଶ ହେବାକୁ ଆଶା କରିବେ: ରାଜନାଥ

ଜମ୍ମୁ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଜମ୍ମୁ-କଶ୍ମୀର ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଏବେ ସାରା ବିଶ୍ୱ କରୋନା ମହାମାରୀ ସହ ଲଢୁଥିବା ବେଳେ ଏହି ସଙ୍କଟ ସମୟରେ ଆମେ ଆମ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବାକୁ ପଡିବ। ଅନୁଚ୍ଛେଦ ୩୭୦ ଓ ୩୫ଏକୁ ନେଇ ସମସ୍ତଙ୍କ ମନରେ ସଂଶୟ ଥିଲା। ହେଲେ ପୂର୍ଣ୍ଣ ସମର୍ଥନ ମିଳିବା ପରେ ଆମେ ଯାହା କହିଥିଲୁ ତାହା କରି ଦେଖାଇଲୁ ବୋଲି ସେ କହିଛନ୍ତି। ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଅନୁଚ୍ଛେଦ ୩୭୦କୁ ନେଇ ପାକିସ୍ତାନକୁ ବହୁ ଦେଶ ସମର୍ଥନ କରୁଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଯେଉଁ ନିଷ୍ପତ୍ତି ନିଆଗଲା ତାକୁ ବହୁ ମୁସଲିମ୍‌ ଦେଶ ସମର୍ଥନ ଜଣାଇଲେ। ତେଣୁ ଏବେ ପାଣିପାଗ ବଦଳି ଯାଇଛି। ଜମ୍ମୁ-କଶ୍ମୀରର ଭାଗ୍ୟ ଓ ଚିତ୍ର ବଦଳାଇବାକୁ ବହୁ ମହତ୍ୱପୁର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି ବୋଲି ରାଜନାଥ କହିଛନ୍ତି। ଆଗାମୀ ଦିନରେ ଜମ୍ମୁ-କଶ୍ମୀରର ଚିତ୍ର ଏତେ ବଦଳି ଯିବ ଯେ ପିଓକେର ଲୋକେ ମଧ୍ୟ ଚିନ୍ତା କରିବେ ଯଦି ଆମେ ଭାରତରେ ଥାଆନ୍ତୁ ଆମର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଯାଇଥାଆନ୍ତା। ଆଗାମି ଦିନରେ ପିଓକେର ଲୋକେ ଭାରତର ଅଂଶ ହେବାକୁ ନିଶ୍ଚୟ ଆଶା କରିବେ ବୋଲି ରାଜନାଥ କହିଛନ୍ତି।

Share