Categories: ମେଟ୍ରୋ

ବଦଳିବ ବିଜୁ ପଟ୍ଟନାୟକ ପାର୍କର ରୂପରେଖ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଭୁବନେଶ୍ୱରରେ ଥିବା ପାର୍କଗୁଡ଼ିକର ଭିତ୍ତିଭୂମିରେ ସୁଧାର ଅଣାଯିବ। ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ଯୋଜନା ହାତକୁ ନେଇଛି। ଏବେ ପ୍ରାଥମିକ ଭାବେ ବିଜୁ ପଟ୍ଟନାୟକ (ଫରେଷ୍ଟ) ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କରେ କିଛି ନୂଆ ପ୍ରକଳ୍ପ ଲଗାଯିବାକୁ ସ୍ଥିର କରାଯାଇଛି। ବର୍ତ୍ତମାନ ଏ ନେଇ ବିଡିଏ ପକ୍ଷରୁ ଟେଣ୍ଡର ପ୍ରକାଶ ପାଇଛି। ପାର୍କରେ କିପରି ଲୋକେ ଭଲରେ ସମୟ ବିତାଇ ପାରିବେ ବିଡିଏ ସଦାସର୍ବଦା ଚିନ୍ତିତ ରହିଛି ବୋଲି କୁହାଯାଇଛି।
ବିଡିଏ ମୁଖ୍ୟ ଉଦ୍ୟାନବିତ୍‌ ଏ.ଏନ. ଧର କହିଛନ୍ତି, ପାର୍କର ବିକାଶ ସହ ଅଧିକରୁ ଅଧିକ ଲୋକଙ୍କୁ ପାର୍କ ପ୍ରତି ଆକର୍ଷିତ କରିବାକୁ ବିଡିଏ ସବୁବେଳେ ଚେଷ୍ଟା ଚଳାଇଛି। ଏବେ ବିଜୁ ପଟ୍ଟନାୟକ ପାର୍କର ଦୁଇ ପଟରେ ନୂଆ ଚଲାପଥ ନିର୍ମାଣ କରିବା ସହ ଗୋଟିଏ ଷ୍ଟୋର ରୁମ୍‌ ଓ ରେନ୍‌ ଓ୍ବାଟର ହାର୍ଭେଷ୍ଟିଂ ପ୍ରକଳ୍ପ କରାଯାଉଛି। ସେହିପରି ଚନ୍ଦ୍ରଶେଖରପୁର ବୁଦ୍ଧ ଜୟନ୍ତୀ ପାର୍କରେ ଥିବା ଓ୍ବାଟର ଫାଉଣ୍ଟେନ୍‌ର ମରାମତି ପାଇଁ ମଧ୍ୟ ଟେଣ୍ଡର ପ୍ରକାଶ ପାଇଛି। ଏଥିସହ ନିୟମିତ ଭାବେ ପାର୍କକୁ ସର୍ବସାଧାରଣଙ୍କ ପାଇଁ ସ୍ବଚ୍ଛ ଓ ସୌନ୍ଦର୍ଯ୍ୟମୟ ରଖାଯାଉଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ସମସ୍ତ ପାର୍କର ପର୍ଯ୍ୟାୟକ୍ରମେ ବିକାଶ କରିବାକୁ ବିଡିଏ ସ୍ଥିର କରିଛି। ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଏବେ ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଏ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ପାର୍କରେ ଲୋକଙ୍କ ଆମୋଦପ୍ରମୋଦ କରିବାଠାରୁ ଆରମ୍ଭ କରି ପିଲାଙ୍କ ଖେଳକୁଦ ଓ ବ୍ୟାୟାମ କରିବା ବ୍ୟବସ୍ଥାକୁ ଧୀରେ ଧୀରେ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖୁବ୍‌କମ୍‌ ଦିନରେ ଭୁବନେଶ୍ୱରବାସୀ ସହରରେ ଥିବା ପାର୍କଗୁଡ଼ିକରେ ବହୁ ସୁବିଧା ପାଇବେ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।