ବଦଳିବ ଓଡ଼ିଶା ଶିକ୍ଷା, ବିଶ୍ୱବିଦ୍ୟାଳୟ ନୀତି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ବଦଳିବ ରାଜ୍ୟର ଶିକ୍ଷା ନୀତି। ବିଶ୍ୱବିଦ୍ୟାଳୟ ନୀତିରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୫ତାରିଖ ସୁଦ୍ଧା ଚିଠା ପ୍ରସ୍ତାବ ଆଗତ ହେବ ବୋଲି ସୂଚନା ମିଳିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ଡକାଯାଇ ସମୀକ୍ଷା ଚାଲିଛି। ଶୁକ୍ରବାର ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଆଉ ଏକ ସମୀକ୍ଷା କରାଯିବ। ଏହି ଦାୟିତ୍ୱ ପିଏମ୍‌ୟୁ(ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌) ହାତରେ ଛଡ଼ାଯାଇଛି। ସେମାନେ ବିଭିନ୍ନ ରାଜ୍ୟର ଶିକ୍ଷା ନୀତି ଏବଂ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନୂଆ ନୀତି ପାଇଁ ଚିଠା ପ୍ରସ୍ତାବ ଆଣିବେ। ବିଶେଷ କରି ମହାରାଷ୍ଟ୍ର ଏବଂ କର୍ନାଟକ ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ ନୀତି ଢାଞ୍ଚାରେ ଓଡ଼ିଶାରେ ନୂଆ ନୀତି ପ୍ରସ୍ତୁତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବାପେକ୍ଷା ପିଜି ବିଷୟବସ୍ତୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟରେ ଯେତିକି ବିଶ୍ୱବିଦ୍ୟାଳୟ ରହିଥିଲା ତା’ର ସଂଖ୍ୟା ବୃଦ୍ଧିପାଇଛି। ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ବଢିଯାଇଛି। ଅନ୍ୟପଟେ ଛାତ୍ରୀଛାତ୍ରମାନେ ପିଜି ପରୀକ୍ଷା ପାଇଁ ୨ କିମ୍ବା ୩ଟି ବିଶ୍ୱବିଦ୍ୟାଳୟରେ ଫର୍ମ ପକାଉଥିବା ବେଳେ ଏକାସମୟରେ ସବୁ ସ୍ଥାନରେ ପରୀକ୍ଷା ହୋଇଯାଉଛି, ଯେଉଁଥିଲାଗି ଛାତ୍ରୀଛାତ୍ରମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ନୂଆ ଶିକ୍ଷା ନୀତି ଓ ବିଶ୍ୱବିଦ୍ୟାଳୟ ନୀତି ପାଇଁ ଯୋଜନା କରାଯାଉଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ଶିକ୍ଷାଦାନ ଓ କ୍ୟାରିୟର ଗଠନ ନିମନ୍ତେ ସହାୟକ ହୋଇପାରିବ। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର କହିଛନ୍ତି, ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ ନୀତିରେ ପରିବର୍ତ୍ତନର ଆବଶ୍ୟକତା ବହୁଦିନରୁ ଥିଲା। ୮୦ବର୍ଷ ତଳୁ ପ୍ରସ୍ତୁତ ହୋଇଥିବା ନୀତି ଏ ପର୍ଯ୍ୟନ୍ତ ଚାଲିଛି। ମଝିରେ ଛୋଟମୋଟ ପରିବର୍ତ୍ତନ ହୋଇଛି। ମାତ୍ର ଏବେ ନୂଆ ନୀତି ଆସିବାକୁ ଯାଉଛି, ଯାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।