Categories: ବାଣିଜ୍ୟ

ବଦଳିପାରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର

ନୂଆଦିଲ୍ଲୀ,୨୮-୮: ଏଟିଏମ୍‌ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍‌ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ ଏଥିରୁ ରକ୍ଷା କରିବା ଲାଗି ଦିଲ୍ଲୀ ଷ୍ଟେଟ୍‌ ଲେଭଲ ବ୍ୟାଙ୍କର୍ସ କମିଟି(ଏସ୍‌ଏ୍‌ଲବିସି) କେତେକ ପରାମର୍ଶ ଦେଇଛି। ଏହାକୁ ସରକାରଙ୍କ ଅନୁମୋଦନ ମିଳିଗଲେ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଦୁଇଟି ଏଟିଏମ୍‌ ଟ୍ରାଞ୍ଜାକ୍‌ଶନ ମଧ୍ୟରେ ୬ରୁ ୧୨ ଘଣ୍ଟା ସମୟ ହେବା ଜରୁରୀ ବୋଲି ଏସ୍‌ଏଲ୍‌ବିସି ପକ୍ଷରୁ ଦିଆଯାଇଥିବା ପରାମର୍ଶରେ କୁହାଯାଇଛି। ଅର୍ଥାତ୍‌ ଥରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୁନର୍ବାର ଟଙ୍କା ଉଠାଇ ପାରିବେ ନାହିଁ। ଏହି ଯୋଜନା ସମ୍ପର୍କରେ ଗତ ସପ୍ତାହରେ ୧୮ ବ୍ୟାଙ୍କର ଶୀର୍ଷ ଅଧିକାରୀଙ୍କ ସହ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାଛଡ଼ା ବ୍ୟାଙ୍କଗୁଡ଼ିକୁ ଆହୁରି କେତେକ ପରାମର୍ଶ ଦିଆଯାଇଛି। ଅନଧିକୃତ ରୂପରେ ଟଙ୍କା କାଢ଼ିବା ଲାଗି ଉଦ୍ୟମ କରାଗଲେ ଆକାଉଣ୍ଟଧାରୀଙ୍କୁ ଆଲର୍ଟ କରିବାକୁ ଯାଇ ଓଟିପି(ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବର୍ଡ) ପଠାଯିବ। ଏହାବ୍ୟତୀତ ଏଟିଏମ୍‌ ଲାଗି ସେଣ୍ଟ୍ରାଲାଇଜ୍‌ଡ ମନିଟରିଂ ସିଷ୍ଟମ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଏହି ବ୍ୟବସ୍ଥାକୁ ଓବିସି ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପିଏନ୍‌ବି, ଆଇଡିବିଆଇ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ପୂର୍ବରୁ ଲାଗୁ କରିସାରିଲେଣି। ଏ ସମ୍ପର୍କରେ ମତପ୍ରକାଶ କରି ଦିଲ୍ଲୀ ଏସ୍‌ଏଲ୍‌ବିସିର ସଂଯୋଜକ ତଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏମ୍‌ଡି ତଥା ସିଇଓ ମୁକେଶ କୁମାର ଜୈନ କହିଛନ୍ତି ଯେ, ଏଟିଏମ୍‌ରେ ହେଉଥିବା ଅଧିକାଂଶ ଠକାମୀ ଅର୍ଦ୍ଧରାତ୍ରିରୁ ପାହାନ୍ତିଆ ସମୟରେ ହୋଇଥାଏ। ଏହି କାରଣରୁ ଏଟିଏମ୍‌ରେ ନେଣଦେଣକୁ ସୁରକ୍ଷିତ କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ୨୦୧୮-୧୯ରେ ଦିଲ୍ଲୀରେ ୧୭୯ ଏଟିଏମ୍‌ ଠକାମୀ ମାମଲା ଦାଏର କରାଯାଇଛି। ସେହିପରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ପ୍ରାୟ ୨୩୩ ଏଟିଏମ୍‌ ଠକାମୀ ମାମଲା ଅଦ୍ୟାବଧି ସାମ୍ନାକୁ ଆସିଲାଣି। ଆର୍ଥିକ ବର୍ଷ ୨୦୧୮-୧୯ରେ ସାରା ଦେଶରେ ୯୮୦ ଏଟିଏମ୍‌ ଜାଲିଆତି ମାମଲା ଦାଏର ହୋଇଛି। ଏହାର ପୂର୍ବ ଆର୍ଥିକ ବର୍ଷରେ ଏହା ୯୧୧ ଥିଲା।

Share