Categories: ବାଣିଜ୍ୟ

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା ଲାଗି ଆସୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ କିଣାକିଣି କରିବା ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଇଛି। ଗ୍ରାହକ ଛୋଟ ଛୋଟ ଟ୍ରାଞ୍ଜାକଶନକୁ ମଧ୍ୟ ଇଏମ୍‌ଆଇରେ ପରିବର୍ତ୍ତନ କରୁଥିବା ଦେଖାଯାଉଛି। ଏହି ସମୟରେ ସ୍ମାର୍ଟଫୋନ, ମିକ୍ସର ଗ୍ରାଇଣ୍ଡର, ରୋଷେଇ ଘର ଲାଗି ଜରୁରୀ ସାମଗ୍ରୀ, ଜୋତା, ସ୍ପିକର ଏବଂ ହେଡ୍‌ଫୋନର ଚାହିଦା ଅଧିକ ବଢ଼ିଯାଇଛି। ଖାଉଟି କ୍ରେଡିଟ କାର୍ଡ ଦ୍ୱାରା ପେମେଣ୍ଟ କରୁଛନ୍ତି ଏବଂ ପରେ ଏହାକୁ ଇଏମ୍‌ଆଇରେ ରୂପାନ୍ତରିତ କରୁଥିବା ଦେଖାଯାଉଛି। ଏଥିରୁ ଗୋଟିଏ କଥା ବୁଝା ପଡୁଛି ଯେ, ଲୋକମାନେ ଅଧିକରୁ ଅଧିକ ଅର୍ଥ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ଡର ଭାବନା ରହୁଥିବାରୁ ଏଭଳି ଟ୍ରେଣ୍ଡ ଦେଖାଯାଇଥିବା ବଜାର ବିଶେଷଜ୍ଞ ମତ ଦେଇଛନ୍ତି। ବେତନ ଲାଭ କରୁଥିବା ଲୋକମାନଙ୍କର ବେତନ ପୂର୍ବରୁ କଟିଛି କିମ୍ବା କଟିବାର ସମ୍ଭାବନା ରହିଛି। ଚଳିତ ବର୍ଷ ବେତନ ବଢିବା କିମ୍ବା ଇନ୍‌ସେଣ୍ଟିଭ ମିଳିବାର ମଧ୍ୟ ସମ୍ଭାବନା ପ୍ରାୟ ନାହିଁ। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ନିଯୁକ୍ତି ହରାଇଛନ୍ତି। ଅନେକଙ୍କ ମଧ୍ୟରେ ଚାକିରି ଚାଲିଯିବାର ଭୟ ମଧ୍ୟ ରହିଛି। ଏଭଳି ବିଭିନ୍ନ କାରଣ ଲାଗି ଲୋକ ନିଜ ପାଖରେ ନଗଦ ଅର୍ଥ ରଖିବାକୁ ପସନ୍ଦ କରୁଛନ୍ତି। ପୂର୍ବ ତୁଳନାରେ ଗ୍ରାହକ କ୍ରେଡିଟ କାର୍ଡରେ ଅଧିକ ଖର୍ଚ୍ଚ କରୁଛନ୍ତି। ସେହିଭଳି ଇନ୍‌ଷ୍ଟାଲମେଣ୍ଟକୁ ଅଧିକ ଲମ୍ବା ମଧ୍ୟ କରାଯାଉଛି। ପୂର୍ବରୁ ୫୦ରୁ ୬୦% ଗ୍ରାହକ ଇଏମ୍‌ଆଇକୁ ପସନ୍ଦ କରୁଥିଲେ। ଜଣେ ଶିଳ୍ପ ପ୍ରତିନିଧି କହିଛନ୍ତି ଯେ, କାର୍ଡ ସ୍ବାଇପ କ୍ଷେତ୍ରରେ ୮୦%କୁ ଇଏମ୍‌ଆଇରେ ପରିବର୍ତ୍ତନ କରାଯାଉଛି। ପୂର୍ବରୁ ଏହା ୬୦% ରହିଥିଲା।

Share