Categories: ଜାତୀୟ

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବଡ ବଡ ନିଶ ରଖୁଥିବାବେଳେ ଏବେ ସେ ଏହାକୁ କାଟି ଛୋଟ କରିଦେଇଛନ୍ତି। ସୋମବାର ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ ଧନୱା ଏକାଠି ମିଗ-୨୧ ଯୁଦ୍ଧ ବିମାନ ଉଡାଣ କରିଥିଲେ। ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। କେବଳ ନିଶ ନୁହେଁ, ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ସେ ପରିବର୍ତ୍ତନ ଆଣିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ସମୟରେ ଅଭିନନ୍ଦନ ହିଁ ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬ର ମୁକାବିଲା କରିଥିଲେ। ଅଭିନନ୍ଦନ ମିଗ-୨୧ ବିମାନରୁ ମାଡ କରିଥିବା ଗୁଳିଟି ପାକ ଏଫ-୧୬ରେ ମାଡ ହୋଇଥିଲା। ଏହାପରେ ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅଭିନନ୍ଦନ ପିଓକେରେ ହିଁ ପାରାଚ୍ୟୁଟ ଦ୍ୱାରା ଲ୍ୟାଣ୍ଡ କରିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲେ ହେଁ ୫୬ ଘଣ୍ଟା ମଧ୍ୟରେ ଛାଡିବାକୁ ବାଧ୍ୟ ହୋଇଥିଲା। ସେବେଠାରୁ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ଖାସ୍‌ ଭାବେ ତାଙ୍କ ନିଶକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।

Share