ବଣଭୋଜି ପାଇଁ ଚଳଚଞ୍ଚଳ ମଉଳାଭଞ୍ଜା ପାହାଡ଼

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.)

ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗଁା ନିକଟରେ ରହିଛି ମଉଳାଭଞ୍ଜା ପାହାଡ଼। ଚାରିପଟେ ଶସ୍ୟକ୍ଷେତ୍ର ଥିବାବେଳେ ଲିମ୍ବ, ବେଲ ଆଦି ଔଷଧୀୟ ବୃକ୍ଷ ଏହି ପାହାଡ଼ରେ ଭରି ରହିଛି। ପାହାଡ଼ ପାଦଦେଶରେ ଅଛି ଦୁଇଟି ଗୁମ୍ଫା। ସେହିପରି ଦୁଇଟି ବିରାଟକାୟ ପଥର ଏପରି ରହିଛି ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନାନା ଚର୍ଚ୍ଚା ହୁଏ। ବଡ଼ ପଥରଟି ମାମୁ ଓ ସାନ ପଥର ଭଣଜା ବୋଲି ଗଁାର ବୟସ୍କମାନେ କୁହନ୍ତି। ଏହାପଛରେ ଥିବା କାହାଣୀ ସମ୍ପର୍କରେ ସେମାନେ କୁହନ୍ତି, ଥରେ ଏହି ରାସ୍ତା ଦେଇ ଏକ ବାହାଘର ପଟୁଆର ଯାଉଥିଲା। ବର ସାଜିଥିବା ମାମୁ ଭଣଜାକୁ କାଖରେ ଧରିଥିଲେ। ସେହି ସମୟରେ ବଜ୍ରପାତ ଘଟିବାରୁ ମାମୁ ଭଣଜା ପଥର ପାଲଟିଯାଇଥିଲେ। ବିବାହ ପଟୁଆରରେ ଯାଉଥିବା ହାତୀ, ଘୋଡ଼ା, ରଥ ଆଦି ସେଠାରେ ଅଟକି ଯାଇଥିଲେ। ପ୍ରତିବର୍ଷ ବଣ ଭୋଜି ସମୟରେ ଏହି ପାହାଡ଼ରେ ପ୍ରବଳ ଗହଳି ହୁଏ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବଣ ଭୋଜି କରିସାରିବା ପରେ ପାହାଡ଼ ପରିଦର୍ଶନ କରିଥାନ୍ତି। ଏଠାରେ ଥିବା ପୁରୁଣା କୀର୍ତ୍ତିରାଜି ଦେଖି ଖୁସି ହୋଇଥାନ୍ତି।