Categories: ବାଣିଜ୍ୟ

ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। କରୋନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ମହାମାରୀ ଘୋଷଣା କରିଛି। ଏଭଳି ସମୟରେ ବାଣିଜ୍ୟ କାରବାର କ୍ଷତି ହେଉଥିବା ବେଳେ ଛଟେଇ ଭଳି ଘଟଣା ସାମ୍ନାକୁ ଆସିଛି। ମାତ୍ର ଆମେରିକାର ଅତି ଧନୀଙ୍କ ମୋଟ ମିଳିତ ସମ୍ପତ୍ତି କଥା ବିଚାରକୁ ନେଲେ ଏଥିରେ ବୃଦ୍ଧି ଘଟୁଥିବା ଜଣାପଡ଼ିଛି। ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଏବଂ ଟେସ୍‌ଲାର ମୁଖ୍ୟ ଏଲୋନ ମସ୍କଙ୍କ ଭଳି ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ପ୍ରାୟ ୧୦% ବୃଦ୍ଧି ଘଟିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପଲିସି ଷ୍ଟଡିଜ୍‌ (ଆଇପିଏସ୍‌) ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ତଥ୍ୟ ରହିଥିବା ଜଣାପଡ଼ିଛି।
ଗୋଟିଏ ପଟେ ଆମେରିକାର ଅତି ଧନୀଙ୍କ ସମ୍ପତ୍ତି ବଢୁଥିବା ବେଳେ ପ୍ରାୟ ୨୨ ନିୟୁତ ଲୋକ ବେକାରି ପାଇଁ ସରକାର ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ଫାଇଲିଂ କରିଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ୱ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ କରୋନା ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଲୋକମାନେ ବର୍ତ୍ତମାନ ଘରୁ କାମ କରୁଛନ୍ତି। ଟେକ୍ନୋଲୋଜି ଏବଂ ଭିଡିଓ କନ୍‌ଫରେନ୍ସିଂ ଆପ୍‌ଗୁଡ଼ିକର ଚାହିଦା ବଢ଼ିଛି। ଫଳରେ କମ୍ପାନୀଗୁଡ଼ିକର ବିଲିୟନେୟାର ପ୍ରତିଷ୍ଠାତାଙ୍କ ନେଟ୍‌ଓ୍ବର୍ଥ ବଢୁଥିବା ଦେଖାଯାଉଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ଯାଏ ଆମେରିକାର ୩୪ ବିଲିୟନାରୀଙ୍କ ସମ୍ପତ୍ତିରେ ଏଭଳି ବୃଦ୍ଧି ଦେଖାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଆଇପିଏସ୍‌ ରିପୋର୍ଟ ମୁତାବକ, ୮ ବିଲିୟନେୟାରଙ୍କ ମୋଟ ସମ୍ପତ୍ତିରେ ୧ ବିଲିୟନ ଲେଖାଏ ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ, ଜୁମ୍‌ ଭିଡିଓ କମ୍ୟୁନିକେଶନ୍ସ ଇଙ୍କ୍‌ର ପ୍ରତିଷ୍ଠାତା ଏରିକ୍‌ ଉଆନ, ଏଲନ ମସ୍କ ରହିଛନ୍ତି। ଟେସ୍‌ଲାରେ ୧୮.୫% ଅଂଶଧନ ରହିଛି ା ଚଳିତ ବର୍ଷ ଆରମ୍ଭରୁ କମ୍ପାନୀର ଶେୟାରରେ ୭୩% ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ ଆମାଜନର ୧୫.୧% ଷ୍ଟକ୍‌ ହାସଲ କରିଥିବା ବେଳେ ଏଥିରେ ୩୧% ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଲୋକମାନେ ବର୍ତ୍ତମାନ ଘରେ ରହୁଥିବାରୁ ଅନ୍‌ଲାଇନ ଅର୍ଡରରେ ବୃଦ୍ଧି ଦେଖାଯାଇଛି। ଗତ ଦଶନ୍ଧିରେ ୟୁଏସ୍‌ ବିଲିୟନେୟାରଙ୍କ ସମ୍ପତ୍ତିରେ ୮୦.୬% ବୃଦ୍ଧି ହୋଇଥିଲା।

Share