ବଡ଼ ଅପରାଧ ରୋକିବାକୁ ନୂଆ ପ୍ରସ୍ତୁତି: କମିଶନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ସହ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ ଗଠନ ହେବ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’। କର୍ମଚାରୀ ହେଉ ଅବା ସମୟର ଅଭାବ ଯୋଗୁ ଥାନାଗୁଡିକରେ ବଡ଼ ଅପରାଧଗୁଡିକୁ ତଦନ୍ତ କରିବା ସମ୍ଭବ ହେଉ ନ ଥିବାରୁ କମିଶନରେଟ ପୋଲିସ ସ୍ତରରେ ଏଭଳି ଏକ ନୂଆ ପ୍ରସ୍ତୁତି ଚାଲିଛି। ମାମଲାର ଗୁରୁତ୍ୱକୁ ଦେଖି ପୋଲିସ କମିଶନର ତଦନ୍ତ ପାଇଁ ଏହି ଟିମ୍‌କୁ ନିର୍ଦ୍ଦେଶ ଦେବେ। ୨୫ରୁ ୩୦ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ନେଇ ଟିମ୍‌ ଗଠନ ହେବ ଓ ମୁଖ୍ୟଭାବେ ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଫିସର ରହିବେ। ଗୋଇନ୍ଦା ସୂଚନା ଦେବାକୁ ସ୍ବତନ୍ତ୍ର ଅଫିସର ନିୟୋଜିତ ରହିବେ। ଏଭଳି ଏକ ପ୍ରସ୍ତାବର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହାକୁ ଗୃହ ବିଭାଗ ନିକଟକୁ ପଠାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।