ବଡ଼ବିଲ କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ବଦଳି: ଖାଲି ପଡ଼ିଲା ପଦବୀ, କାର୍ଯ୍ୟ ବାଧାପ୍ରାପ୍ତ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟର ମାଜିଷ୍ଟ୍ରେଟ ଆଲୋକ ପଣ୍ଡାଙ୍କର କୋରାପୁଟ ସେମିଳିଗୁଡ଼ାକୁ ବଦଳି ହୋଇଥିବାବେଳେ ଏହି ପଦବୀ ଖାଲି ପଡ଼ିଛି। ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗତ ୨୨ ତାରିଖରୁ ଜେଏମଏଫସି ପଣ୍ଡା ରିଲିଭ ହୋଇଥିବାବେଳେ ପଦବୀ ଖାଲିପଡ଼ିଥିବା ଜଣାପଡିଛି। ଏହି କୋର୍ଟ ଅଧୀନରେ ଥିବା ବଡ଼ବିଲ, ବଲାଣୀ, ରୁଗୁଡି, ଯୋଡା ଓ ବାମେବାରୀ ଆଦି ୫ଟି ଥାନାରୁ ଦୈନିକ ମୁଦାଲାଙ୍କୁ ନେଇ ପୋଲିସ ୪୦ କିଲୋମିଟର ଦୂର ଚମ୍ପୁଆ କୋର୍ଟରେ ହାଜର କରୁଥିବାବେଳେ ମହକିଲମାନେ ମଧ୍ୟ ଚମ୍ପୁଆ କୋର୍ଟକୁ ଧାଉଁଥିବା ଜଣାପଡ଼ିଛି। ତୁରନ୍ତ ଏହି ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଥିବାବେଳେ ଆସନ୍ତା ଶନିବାର ନୂତନ ଜେଏମଏଫ୍‌ସି ଯୋଗଦେବାର ସୂଚନା ରହିଥିବା ବାର୍‌ ଆସୋସିଏଶନ ସଭାପତି ବଳରାମ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ବଡ଼ବିଲ ବାର୍‌ ଆସୋସିଏଶନ ପକ୍ଷରୁ ସୋମବାର ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛିି। ସଭାପତି ମହାନ୍ତି ଆସୋସିଏଶନ ପକ୍ଷରୁ ଫୁଲତୋଡ଼ା ଓ ଉପଢୌକନ ଦେଇ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।