ବଜ୍ରପାତରେ ୨ ମୃତ , ୨ ଗୁରୁତର

ଆନନ୍ଦପୁର, ୬। ୧୦(ସ୍ବ.ପ୍ର.)- ଆନନ୍ଦପୁର ପୌରପରିଷଦ ପଦ୍ମପୁର ଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜମିରେ କାମ କରୁଥିବାବେଳେ ବଜ୍ରପାତରେ ଅଚେତ ହୋଇପଡିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପଦ୍ମପୁର ଗ୍ରାମର ୨ଜଣ ଯୁବକ ବସିଥିବା ବେଳେ ବଜ୍ରପାତରେ ବେହୋଶ ହୋଇପଡିଥିଲେ। ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି।