ବଜ୍ରକାପ୍ତା, ହାତୀଦାନ୍ତ ଚୋରାଚାଲାଣ ଜେଲ ଗଲେ ୭ ବେପାରୀ

ଖୁଣ୍ଟୁଣୀ,୩ା୧୨(ଡି.ଏନ୍‌.ଏ.):  ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀଠାରୁ ନରସିଂହପୁର ବନାଞ୍ଚଳରେ ବଜ୍ରକାପ୍ତା ଓ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନାଞ୍ଚଳ ୭ଜଣ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଠଗଡ଼ ଥାନା ହେମମାଳପୁର ଗ୍ରାମର ଅଶୋକ ଜେନା, ଚୌଦ୍ୱାରା ଥାନା ନୂଆପାଟଣା ଗ୍ରମାର ଧ୍ରୁବଚରଣ ସାହୁ, ଆଠଗଡ଼ ଥାନା ଗୁଣ୍ଡିଚାପୁରର ରାଜୁ ଦେହୁରୀ, କୁଲାଇଲୋରର ପ୍ରଶାନ୍ତ ସେଠୀ, ବାରଙ୍ଗ ଥାନା ରତାଗଡ଼ର ବିଭୂତି ଭୂଷଣ ସାହୁ, ଗୁୁରୁଡ଼ିଝାଟିଆ ଥାନା ସୁନିଆ ମୁହଁ ଗ୍ରାମର ଆକାଶ ବେହେରା ଏବଂ ଖୁଣ୍ଟୁଣୀ ଥାନା ଡାବର ଗ୍ରାମର ସତ୍ୟାନନ୍ଦ ବେହେରା। ଏମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବନ ବିଭାଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଖୁଣ୍ଟୁଣୀ ବନାଞ୍ଚଳ ନଂ. ଓଆର ୪୬କେ ୧୯/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଖୁଣ୍ଟୁଣୀଠାରୁ ନରସିଂହପୁର ବନାଞ୍ଚଳରୁ ଅଧିକାଂଶ ବନ୍ୟପ୍ରାଣୀ ଶିକାର କରି ଚମ, ଦାନ୍ତ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଗତ ୨୮ତାରିଖରେ ଗୁରୁଡିଝାଟିଆ ଥାନା ଅଧିକାରୀ ବିଜୟ କେତନ ବିସି ପାଟ୍ରୋଲିଂ ସାରି ଫେରୁଥିବାବେଳେ ସୁନିଆମୁହଁ ସଂରକ୍ଷିତ ଜଙ୍ଗଲରେ ଆକାଶ ଓ ସତ୍ୟାନନ୍ଦ ସନ୍ଦେହଜନକ ଭାବେ ବୁଲୁଥିବା ଦେଖିଥିଲେ। କୌଶଳକ୍ରମେ ସେମାନଙ୍କୁ କାବୁ କରି ଥାନାକୁ ଆଣିଥିଲେ। ପଚରାଉଚୁରା ସହ ସେମାନଙ୍କ ମୋବାଇଲ ଫୋନ ଦେଖିବାରୁ ହାତୀଦାନ୍ତ ଓ ବଜ୍ରକାପ୍ତା ଫଟୋ ଦେଖି ବେପାର ସହ ଚୋରାଚାଲାଣ କରୁଥିବା ଜାଣିପାରିଥିଲେ। ପରେ ଅଭିଯୁକ୍ତଦ୍ୱୟ ଏହା ସ୍ବୀକାର କରିବା ପରେ ସେମାନଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ବେହେରାଙ୍କୁ ହସ୍ତାନ୍ତର କରିତ୍ଥଲେ। ସେମାନେ ୨୮ତାରିଖରୁ ୪ଦିନ ପର୍ଯ୍ୟନ୍ତ ଅଭିଯୁକ୍ତଦ୍ୱୟଙ୍କୁ ନିଜ ହେପାଜତରେ ରଖି ପଚରାଉଚୁରା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଖୁଣ୍ଟୁଣୀ, ଆଠଗଡ଼ ବନାଞ୍ଚଳରେ ପ୍ରତିଦିନ ହରିଣ, ମୟୁର, ବାରହା ଆଦି ପ୍ରାଣୀଙ୍କ ଶିକାର ହେଉଥିବାବେଳେ ପୋଲିସ କିଭଳି ଜାଣିପାରୁନାହିଁ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି।