ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏବେ ସବୁସ୍ତରର ଶିକ୍ଷାରେ ଝିଅମାନଙ୍କ ନାମଲେଖା ହାର ପୁଅଙ୍କ ତୁଳନାରେ ଅଧିକ ରହିଛି। ପ୍ରାଥମିକ ଶିକ୍ଷା ସ୍ତରରେ ଝିଅମାନଙ୍କ ହାର ୯୪.୩୨ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ହାର ୮୯.୨୮ ପ୍ରତିଶତ ରହିଛି। ମହିଳାମାନଙ୍କ ଆର୍ଥତ୍କ ବିକାଶ ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହିଳା ବିଶେଷ କରି ଗର୍ଭବତୀ ଓ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପ୍ରତି ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଅର୍ଥମନ୍ତ୍ରୀ କହିଥିଲେ। ସେହିପରି ଅପପୁଷ୍ଟି ଦୂରୀକରଣ କାର୍ଯ୍ୟକ୍ରମ ଲାଗି ବଜେଟରେ ମୋଟ ୩୫,୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୋଷଣ ଅଭିଯାନ ଯୋଜନାରେ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପୁଷ୍ଟିହୀନତା ଯଥେଷ୍ଟ ହ୍ରାସ ପାଇଛି। ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀଙ୍କୁ ଅପପୁଷ୍ଟି ସ୍ଥିତି ସମ୍ପର୍କରେ ତଥ୍ୟ ରଖିବା ଲାଗି ସ୍ମାର୍ଟଫୋନ ଯୋଗାଇ ଦିଆଯାଇଛି।

ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ଝିଅମାନଙ୍କ ବିବାହ ବୟସ ସମ୍ପର୍କରେ ସୁପାରିସ କରିବା ଲାଗି ଏକ ଟାସ୍କଫୋର୍ସ ଖୁବଶୀଘ୍ର ଗଠନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ଉଚ୍ଚଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ମହିଳାମାନଙ୍କ ଲାଗି ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହେଉଛି। ତେଣୁ ସେମାନଙ୍କ ମାତୃତ୍ୱ ବୟସ କେତେ ହେବା ଉଚିତ ତାହା ଅନୁଧ୍ୟାନ ପାଇଁ ଟାସ୍କଫୋର୍ସ ଗଠନର ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଟାସ୍କଫୋର୍ସ ୬ ମାସ ମଧ୍ୟରେ ଏନେଇ ସୁପାରିସ କରିବ। ସରକାର ମହିଳା, ଶିଶୁ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଅପପୁଷ୍ଟି ଦୂରୀକରଣ କାର୍ଯ୍ୟକ୍ରମ ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ନିମନ୍ତେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି। ସେହିପରି ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ କଲ୍ୟାଣ ଲାଗି ୮୫,୦୦୦ କୋଟି ଏବଂ ଅନୁସୂଚିତ ଜନଜାତିଙ୍କ ଲାଗି ୫୩,୭୦୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ହୋଇଛି।

Share