ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୋରାପୁଟ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି ଭାଇରସ ସାଧାରଣ ଜନତାଙ୍କୁ ଏତେ ଭୟଭୀତ କରିଛି ଯେ ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ବଜାରରୁ ଔଷଧ କିଣି ନେଉଛନ୍ତି। ଫଳରେ ଜିଲାର ଔଷଧ ଦୋକାନରେ ଭିଟାମିନ-ସି ଔଷଧ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ମିଳିବା କଷ୍ଟକର ହୋଇପଡ଼ିଛି।
ଭିଟାମିନ ସି ଟାବଲେଟ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯିବ ଓ କରୋନା ସହଜରେ ଜଣଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ସେହିପରି କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆବଶ୍ୟକ ଥିବା ଜଣାପଡ଼ିବା ପରେ ଏହାର ବିକ୍ରି ବହୁ ପରିମାଣରେ ବଢ଼ିଯାଇଛି। ଏହି ୨ଟି ଔଷଧ ଜିଲାର ଅଧିକାଂଶ ଡ୍ରଗ୍‌ ହାଉସରେ ମିଳୁନାହିଁ। କୋରାପୁଟ ଜିଲାରେ ୨ ଶହରୁ ଅଧିକ ଔଷଧ ଦୋକାନ ଥିବାବେଳେ ଦେଶରେ କରୋନା ସ୍ଥିତି ପୂର୍ବରୁ ସବୁ ଦୋକାନରେ ଏହି ଭିଟାମିନ ସି ଔଷଧ ଉପଲବ୍ଧ ହେଉଥିଲା। କିନ୍ତୁ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବା ମାତ୍ରେ ହଠାତ୍‌ ବଜାରରୁ ଭିଟାମିନ ସି ଔଷଧ ନେବା ପାଇଁ ଡ୍ରଗ୍‌ ହାଉସରେ ଭିଡ଼ ଲାଗିଲା। କିଛିଦିନ ଭିତରେ ଏହି ଦୁଇଟି ଔଷଧ ମଧ୍ୟ ଶେଷ ହୋଇଗଲା। ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ପାଇଁ ଅତି ଜରୁରୀ ଥିବାବେଳେ ଏହି ଔଷଧ ପାଇଁ ଭାରତ ସରକାରଙ୍କ ନିକଟରେ ବହୁ ରାଷ୍ଟ୍ର ହାତ ପତାଉଛନ୍ତି। ବର୍ତ୍ତମାନ କୋରାପୁଟ ଜିଲାର ଔଷଧ ଦୋକାନରୁ ଏହି ଔଷଧ ଶେଷ ହୋଇଗଲାଣି। କିନ୍ତୁ କରୋନା ଆତଙ୍କିତ ଲୋକେ ଏହାକୁ ନେଇ ଘରେ ଗଚ୍ଛିତ କରି ରଖିଛନ୍ତି। ଜଣେ ଔଷଧ ଦୋକାନୀ କହିଛନ୍ତି, ବର୍ତ୍ତମାନ ଔଷଧ ସରିଯାଇଛି। ୨ରୁ ୩ ଦିନ ଭିତରେ ଆସିବ ବୋଲି ଷ୍ଟକିଷ୍ଟ କହିଛି। ଏ ନେଇ ଜିଲା ଚିକିତ୍ସାଧିକାରୀ ମକରାନନ୍ଦ ବେଉରା କହିଛନ୍ତି, ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ଖାଇବା କଥା ନୁହେଁ।