ବଜାରକୁ ଆସିଲା ‘ଇଟ୍‌ କପ୍‌’

ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି। ଏହାଭିତରେ ହାଇଦ୍ରାବାଦ୍‌ର ଏକ କମ୍ପାନୀ ଏଭଳି ଏକ କପ୍‌ ତିଆରି କରିଛି, ଯେଉଁଥିରେ ଥଣ୍ଡା କିମ୍ବା ଗରମ ପାନୀୟ ପିଇବା ପରେ କପ୍‌କୁ ଫୋପାଡ଼ିବା ବଦଳରେ ଖାଇହେବ। ମଞ୍ଜି ଜାତୀୟ ଶସ୍ୟରେ ତିଆରି ଏହି କପ୍‌ରେ ସବୁ ପ୍ରକାରର ପାନୀୟ ପଦାର୍ଥ ରଖିହେବ। ଲୋକେ ଏହାକୁ ବ୍ୟବହାର କରିବା ପରେ ଖାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି କପ୍‌କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ପକ୍ଷରୁ ଏହି କପ୍‌ ତିଆରି କରାଯାଇଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ଖାଦ୍ୟ ପଦାର୍ଥ ରଖାଯାଉଥିବା ବା ଖାଇବାକୁ ଦିଆଯାଉଥିବା ଥଳୀକୁ ପରବର୍ତ୍ତୀ ସମୟରେ ଫୋପାଡ଼ିବାକୁ ପଡ଼ିଥାଏ। ଏହା ଆମ ସ୍ବାସ୍ଥ୍ୟ ଓ ପ୍ରକୃତି ଉପରେ କୁପ୍ରଭାବ ପକାଇଥାଏ। କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଅଶୋକ କୁମାର କୁହନ୍ତି, ‘ଇଟ୍‌ କପ୍‌’କୁ ପ୍ରାକୃତିକ ବୀଜରେ ତିଆରି କରାଯାଇଛି। ଏହାକୁ ପ୍ଲାଷ୍ଟିକ୍‌ ଓ କାଗଜର ବିକଳ୍ପ ଭାବେ ବ୍ୟବହାର କରିହେବ।

Share