ବଚସା ନେଲା ଜୀବନ: ମାଡ଼ ମାରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ; ଜଣେ ମୃତ, ଜଣେ ଗୁରୁତର

ବାରିପଦା ଅଫିସ,୧୭।୧- ସାମାନ୍ୟ ବଚସାରୁ ଦୁଇ ଜଣଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗିଦେଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ। ମୃତକଜଣକ ହେଲେ ରାଧାକୃଷ୍ଣ ବାରିକ ଓ ଗୁରୁତର ବ୍ୟକ୍ତି ହେଲେ ଶରତ ବାରିକ। ଚିକିତ୍ସା ଲାଗି ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ରାଧାକୃଷ୍ଣ ଓ ଶରତ ଗାଁ ମୁଣ୍ଡକୁ ଯାଇଥିଲେ। ସେଠାରେ ଥିବା ଏକ ମଦ ଦୋକାନ ପାଖରେ କୌଣସି କଥାକୁ ନେଇ କିଛି ଦୁର୍ବୃତ୍ତଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଆସି ପ୍ରଥମେ ରାଧାକୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ଦେଖି ଶରତ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଉଭୟଙ୍କୁ ନିକଟରେ ଥିବା ପୋଖରୀରେ ଫିଙ୍ଗି ଫେରାର ହୋଇଯାଇଥିଲେ।
ଖବର ପାଇ ଉଭୟଙ୍କ ପରିବାରଲୋକେ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ରାଧାକୃଷ୍ଣଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରହିଛି। ଏଥିସହ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।