ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ ଦୁଗ୍ଧ ଦେଉଛନ୍ତି ବୋଲି କୁହୁଛନ୍ତି ଏମାନଙ୍କ ଯତ୍ନ ନେଉଥିବା ଲୋକେ। ଜମ୍ମୁ ସହରର ଅମ୍ବଫଲାଠାରେ ଥିବା ଏହି ଗୋଶାଳା ୧୯୬୦ ମସିହାରେ ଆରମ୍ଭ ହୋଇଥିବା କୁହାଯାଏ। ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କେତେଜଣ ବନ୍ଧୁ ଆହତ, ରୋଗଗ୍ରସ୍ତ ଓ ଅନାଥ ଗୋମାତାଙ୍କ ଯତ୍ନ ନେବାକୁ ଏହି ଗୋଶାଳା ଆରମ୍ଭ କରିଥିବା କୁହାଯାଏ। ଏହାର ଦେଖାରେଖା କରୁଥିବା ଜମ୍ମୁ-କଶ୍ମୀର ଗୋଶାଳା ସମିତିର ପ୍ରଧାନ ରାଜକୁମାର ରାଜା କୁହନ୍ତି ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ। ନିଜ ଉଦ୍ୟମରେ ଲୋକମାନଙ୍କ ସହଯୋଗରେ ଏହାକୁ ଚଳାଇବାକୁ ପଡୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଉକ୍ତ ଗୋଶାଳାରେ ପ୍ରାୟ ୪୫୦ ଗାଈ, ବାଛୁରୀ ରହିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ କିଣା ଯାଇ ନାହିଁ। ସମସ୍ତଙ୍କୁ ରାସ୍ତା କଡରୁ ଅନାଥ ଭାବେ ହେଉ ଅବା ଆହତ ଭାବେ ଉଦ୍ଧାର କରାଯାଇ ସେମାନଙ୍କର ଏଠାରେ ଚିକିତ୍ସା ପରେ ସୁସ୍ଥ କରାଯାଇ ରଖାଯାଇଛି। ଏଠାରେ ଥିବା ଗାଈମାନଙ୍କୁ ମୁକୁଳା ଛାଡି ଦିଆଯାଇଛି। ଦିନକୁ ଏଠାର ପ୍ରାୟ ୧୨ ଘଣ୍ଟା ବଂଶୀ ବାଜିଥାଏ ବୋଲି କୁହନ୍ତି ରାଜକୁମାର। ପ୍ରଥମେ ସକାଳ ୬ଟାରୁ ୧୨ଟା ଓ ପରେ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏଠାରେ ବଂଶୀ ବାଦନ କରାଯାଇଥାଏ। ଆଉ ବଂଶୀ ବାଜିବା ମାତ୍ରେ ସେଠାରେ ଥିବା ସବୁ ଗାଈ ଠିଆ ହୋଇଯାଆନ୍ତି। ରାଜକୁମାର କୁହନ୍ତି ରାଧା ନାମକ ଏକ ଗାଈ ବଂଶୀ ବାଜିବା ମାତ୍ରେ ଝୁଲିବାକୁ ଆରମ୍ଭ କରେ। ତେବେ ଶ୍ରୀକୃଷ୍ଣ ଗାଈ ଚରାଇବା ବେଳେ ବଂଶୀ ବଜାଉଥିବାରୁ ଏହାକୁ ଏଠାରେ ପ୍ରୟୋଗ କରାଯାଇଛି ବୋଲି ସେ କୁହନ୍ତି। ଶେର-ଏ-କଶ୍ମୀର ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ସାଇନସେସ୍‌ ଆଣ୍ଡ ଟେକ୍ନୋଲୋଜିର ଭେଟେନାରୀ ଓ୍ବିଙ୍ଗର ବରିଷ୍ଠ ଡାକ୍ତର ନିଲେଶ ଶର୍ମା କୁହନ୍ତି ଦୁଗ୍ଧ ଦେଉଥିବା ପ୍ରାଣୀମାନେ ଯଦି ଚାପଗ୍ରସ୍ତ ପରିବେଶରେ ରୁହନ୍ତି ତେବେ ସେମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହୋଇ ନ ଥାଏ। ଫଳରେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୁଗ୍ଧ ଆସିପାରି ନ ଥାଏ। ହେଲେ ସଙ୍ଗୀତମୟ ପରିବଶେରେ ରହିଲେ ଏମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ଓ ଏମାନେ ସୁସ୍ଥ ରହିଥାଆନ୍ତି।

Share